କର୍ଣ୍ଣାଟକ ରାଜନୀତି: ଜଣେ ବିଧାୟକଙ୍କୁ ଶହେ କୋଟିି!

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେପିର କୌଶଳ ଆପଣାଇ ଜେଡିଏସକୁ ସମର୍ଥନ ଦେବ ବୋଲି କହି କଂଗ୍ରେସ ଖେଳିଥିବା ମାଷ୍ଟରଷ୍ଟ୍ରୋକରେ ବିଜେପିର ଅକଲ ଗୁଡୁମ ହୋଇଯାଇଛି। ଏବେ କଳେ ବଳେ କୌଶଳେ ମେଂଟର ବିଧାୟକ ସଂଖ୍ୟା କମ୍‌ କରିବାକୁ ବିଜେପି ଉଦ୍ୟମ ଜାରି ରଖିଛି। ସେପଟେ, ଅସନ୍ତୁଷ୍ଟ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କ ନିଜର କରିବା ପାଇଁ ବିଜେପି ପ୍ରବଳ ଘୋଡାବେପାର କରୁଥିବା ଅଭିଯୋଗ ହୋଇଛି। ଜଣେ ଜଣେ ବିଧାୟକଙ୍କୁ ଶହେ କୋଟି ଟଙ୍କାରେ ବିଜେପି କିଣିବାକୁ ପ୍ରୟାସ କରୁଥିବା ଜେଡିଏସ ମୁଖ୍ୟ ଏଚ.ଡି.କୁମାରସ୍ୱାମୀ କହିଛନ୍ତି। ବିଶେଷକରି କଂଗ୍ରେସର ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କୁ ବିଜେପି ଟାର୍ଗେଟ କରିଥିବା ଜଣାପଡ଼ିଛି। ଜେଡିଏସ୍‌ର ଏଭଳି ଅଭିଯୋଗକୁ ବିଜେପି ଖାରଜ କରିଛି। ବିଧାୟକଙ୍କୁ କିଣିବା ଖବର ସମ୍ପୁର୍ଣ୍ଣ ମନଗଢା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏବେ ସମସ୍ତଙ୍କ ନଜର ବିଧାୟକଙ୍କ ଉପରେ ରହିଥିବା ବେଳେ ଆଜି ବେଙ୍ଗାଲୁରୁରେ ହୋଇଥିବା ଜେଡିଏସ୍‌-କଂଗ୍ରେସ ମେଣ୍ଟ ବିଧାୟକ ଦଳ ବୈଠକରେ କଂଗ୍ରେସର ୧୨ ଜଣ ଓ ଜେଡିଏସର ୨ ଜଣ ବିଧାୟକ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ତେବେ କଂଗ୍ରେସର ସମସ୍ତ ୭୮ ଓ ଜେଡିଏସ୍‌ର ୩୭ ବିଧାୟକରହିଛନ୍ତି ଓ କେହି ଅସନ୍ତୁଷ୍ଟ ନାହାନ୍ତି ବୋଲି ସିଦ୍ଦରାମେୟା ଗଣମାଧ୍ୟମରେ କହିଥିଲେ। ସେପଟେ, ବିଜେପିର ବିଧାୟକ ଦଳ ନେତା ଭାବେ ବି.ଏସ୍‌.ୟେଦୁରପ୍ପାଙ୍କୁ ଚୟନ କରାଯାଇଛି। ଏଯାବତ୍‌ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ବେଳେ ୟେଦୁରପ୍ପା ଗୁୁରୁବାର ଶପଥ ନେବେ ବୋଲି ଘୋଷଣା କରିସାରିଛନ୍ତି। ବୁଧବାର ସକାଳୁ ୟେଦୁରପ୍ପା ଓ କର୍ଣ୍ଣାଟକ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପୁଣିଥରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଆମନ୍ତ୍ରଣ କରିବାକୁ ଅନୁମତି ମାଗିଛନ୍ତି।

ସମ୍ବନ୍ଧିତ ଖବର