ମୁମ୍ବାଇ: ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ଡିଭିଜନ ୧୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛି। ଏହା ସହ ମୁମ୍ବାଇ ଭାରତୀୟ ରେଳବାଇର ପ୍ରଥମ ଡିଭିଜନ୍‌ ଭାବେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏପ୍ରିଲ ୨୦୨୨ରୁ ଚଳିତ ବର୍ଷ ଫେବ୍ରୁଆରି ମଧ୍ୟରେ ୧୮ ଲକ୍ଷ ଟିକେଟ୍‌ ବିହୀନ ଯାତ୍ରୀଙ୍କଠାରୁ ଏହି ଅର୍ଥ ଆଦାୟ କରାଯାଇଛି। ଗତବର୍ଷ ଏହି ପରିମାଣ ୬୦ କୋଟି ଟଙ୍କା ଥିଲା।

Advertisment

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୁତାର କହିଛନ୍ତି ଯେ ଜରିମାନା ରାଶି ଟିକେଟ୍‌ ବିହୀନ ଯାତ୍ରୀଙ୍କଠାରୁ ଆଦାୟ କରିବା ସହିତ ମୁମ୍ବାଇ ଡିଭିଜନ ଅଧୀନରେ ଥିବା ଏକ୍ସପ୍ରେସ୍‌ ଏବଂ ଅନ୍ୟାନ୍ୟ ନିୟମିତ ଟ୍ରେନ୍‌ ଅନ୍ତର୍ଭୁକ୍ତ ରହିଛି। ମୁମ୍ବାଇ ଡିଭିଜନରେ ୭୭ଟି ରେଳ ଷ୍ଟେସନ ଏବଂ ୧୨୦୦ ଟିକେଟ୍‌ ପରୀକ୍ଷକ (ଟିଟିଇ) ଅଛନ୍ତି, ଯେଉଁମାନେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଲଗାତାର ଭାବେ ଧରୁଛନ୍ତି।

କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୧୦୦ କୋଟି ଟଙ୍କାରେ ଏୟାର କଣ୍ଡିସନଡ ଲୋକାଲ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ୨୫,୭୮୧ ଯାତ୍ରୀଙ୍କଠାରୁ ଆଦାୟ ହୋଇଛି ୮୭.୪୩ ଲକ୍ଷ ଟଙ୍କା ଜରିମାନା ଏବଂ ପ୍ରଥମ ଶ୍ରେଣୀ କୋଚରେ ବିନା ଟିକେଟରେ ଯାତ୍ରା କରୁଥିବା ୧.୪୫ ଲକ୍ଷ ଯାତ୍ରୀଙ୍କଠାରୁ ୫.୦୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି।

୨୦୧୯-୨୦ରେ ମୁମ୍ବାଇ ଡିଭିଜନ ୧୫.୭୩ ଲକ୍ଷ ଯାତ୍ରୀଙ୍କଠାରୁ ୭୬.୮୨ କୋଟି ଟଙ୍କା ଆଦାୟ କରିଥିଲା।