ଉତ୍ତରପ୍ରଦେଶରେ ଦଙ୍ଗା ପାଇଁ ଆସିଥିଲା ୧୦୦ କୋଟି ଟଙ୍କା!

ଲଖନଉ: ଉତ୍ତରପ୍ରଦେଶରେ ଦଙ୍ଗା ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଏହି ଦିଗରେ ତଦନ୍ତ ଆରମ୍ଭ କରିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ଦଙ୍ଗା ସୃଷ୍ଟି କରିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଥିଲା | ସେଥିମଧ୍ୟରୁ ୫୦ କୋଟି ଟଙ୍କା ମରିସସରୁ ମଧ୍ୟ ଆସିଥିଲା । ଦଙ୍ଗା ସୃଷ୍ଟି କରିବା ପାଇଁ ବ୍ୟବହୃତ ଏକ ୱେବସାଇଟ୍ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯାଇଛି | ଏହା ସହିତ ଅନେକ ବିଦେଶୀ ଆକାଉଣ୍ଟର ସୂଚନା ମଧ୍ୟ ଇଡ଼ିକୁ ମିଳିଛି, ଯାହାଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ତଦନ୍ତ କରୁଛି | ସୂଚନା ଥାଉ କି ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ୍ ମାମଲାରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ।

ଏଥିରେ କୁହାଯାଇଥିଲା ଯେ ହିଂସା ରୋକିବାକୁ ରାତିରେ ପୀଡ଼ିତାଙ୍କ ଶବର ସତ୍କାର କରାଯାଇଥିଲା । ସକାଳେ ଏହି ମାମଲାକୁ ନେଇ ବଡ଼ ଧରଣର ହିଂସା ହେବାର ଆଶଙ୍କା ଥିଲା । ସକାଳେ ଲକ୍ଷାଧିକ ଲୋକ ଏକାଠି ହୋଇ ହିଂସା କରିବାର ଆଶଙ୍କା ଥିବା କଥା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ରାତିରେ ଶବ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ପୀଡ଼ିତାର ପରିବାରକୁ ବୁଝାଇ ଏହି ସତ୍କାର କରାଯାଇଥିଲା । ନିଜ ସତ୍ୟପାଠରେ ୟୁପି ସରକାର ଆହୁରି ମଧ୍ୟ କହିଥିଲେ ଯେ ଏହି ମାମଲାକୁ ଜାତିଆଣ ଓ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି ।

କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ମଧ୍ୟ ଏହି ମାମଲାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଏକ ପ୍ରଚାର ଅଭିଯାନ ଚାଲିଛି ।ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖରେ ହାଥରସର ଜଣେ ୧୯ ବର୍ଷୀୟା ଯୁବତୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଯୁବତୀ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର