ପ୍ରାୟ ୧୦ ଲକ୍ଷ ଯବାନଙ୍କୁ ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର, ବର୍ଷକୁ ମିଳିପାରେ ୧୦୦ ଦିନର ଛୁଟି

ନୂଆଦିଲ୍ଲୀ: ନକ୍ସଲ ଓ ଆତଙ୍କବାଦୀ ଦମନ ସହ ଭିଭିଆଇପିଙ୍କ ସୁରକ୍ଷାରେ ଜଡିତ ଯବାନଙ୍କୁ ଏକ ବଡ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର | କେନ୍ଦ୍ର ସରକାର ଯବାନମାନଙ୍କୁ ୧୦୦ ଦିନର ଛୁଟି ଦେବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତୁତ କରିଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସିଏପିଏଫ(ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ) ଯବାନମାନଙ୍କୁ ବର୍ଷକୁ ଅତି କମରେ ୧୦୦ ଦିନ ସେମାନଙ୍କ ପରିବାର ସହିତ ସମୟ ବିତାଇବାକୁ ଅନୁମତି ମିଳିବ | ଏହି ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ, ଯବାନମାନେ ୭୫ ଦିନର ଛୁଟି କୋଟା ପାଉଥିବାବେଳେ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ କ୍ଷେତ୍ରରେ ଏତିକି ଛୁଟି ମଧ୍ୟ ମିଳିପାରିନଥାଏ |

ବିଶେଷ କରି କାର୍ଯ୍ୟ ସମ୍ବନ୍ଧୀୟ ଚାପକୁ ହ୍ରାସ କରିବା ଏବଂ ପ୍ରାୟ ୧୦ ଲକ୍ଷ ଯବାନଙ୍କ ପରିବାରରେ ଖୁସି ବଢାଇବା ପାଇଁ ଏହି ପ୍ରସ୍ତାବ ଆଣିବାକୁ ଯୋଜନା କରାଯାଇଛି | ନ୍ୟୁଜ୍ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଜଣେ ବରିଷ୍ଠ ସିଏପିଏଫ ଅଧିକାରୀ କହିଛନ୍ତି ଯେ ଆସନ୍ତା ମାସରେ ଗୃହ ମନ୍ତ୍ରାଳୟ ଏବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ |

ନିକଟରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହାନିର୍ଦ୍ଦେଶକ ଜେନେରାଲ କୁଲଦୀପ ସିଂ ମଧ୍ୟ କହିଥିଲେ ଯେ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଅଧିକାରୀମାନେ କହିଛନ୍ତି ଯେ ୧୦୦ ଦିନିଆ ଛୁଟିଦିନର ଏହି ଯୋଜନାରେ ଯବାନମାନଙ୍କୁ ସେମାନଙ୍କ ସହର ନିକଟସ୍ଥ କିମ୍ବା ସେମାନଙ୍କ ପରିବାର ରହୁଥିବା ସ୍ଥାନରେ ମୁତୟନ କରାଯାଇପାରେ | ଏହି ପ୍ରସ୍ତାବରେ ଆସାମ ରାଇଫଲ୍ସ ଏବଂ ଏନଡିଆରଏଫ ଯବାନଙ୍କୁ ମଧ୍ୟ ସାମିଲ କରାଯିବ |

ସମ୍ବନ୍ଧିତ ଖବର