ଶହେ ଦିନ ପୂରଣ କଲା ମୋଦୀ ୨.୦ ସରକାର

ଜୁଲମ, ଅବ୍ୟବସ୍ଥା ଓ ଅରାଜକତା: କଂଗ୍ରେସ

ନୂଆଦିଲ୍ଲୀ : ମୋଦୀ ୨.୦ ସରକାର ଆଜି ଶାସନରେ ରହିବାର ୧୦୦ ଦିନ ପୂରଣ କରିଛି। ଶହେ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂଆ ଏନଡିଏ ସରକାର ତାଙ୍କର ପ୍ରଥମ ୧୦୦ ଦିନରେ ଦେଶରେ ବିକାଶ, ବିଶ୍ବାସ ଏବଂ ବଡ଼ ପରିବର୍ତ୍ତନ ଆଣିପାରିଛନ୍ତି। ଗତ ଶହେ ଦିନ ମଧ୍ୟରେ ‌ଯାହା କିଛି ବଡ଼ ନିଷ୍ପତ୍ତି ନିଆଯାଇଛି ତାହା ପଛରେ ଦେଶର ୧୩୦ କୋଟି ଲୋକଙ୍କ ପ୍ରେରଣା ରହିଛି। ସରକାର ୧୦୦ ଦିନ ଭିତରେ ଯେଉଁ ବଳିଷ୍ଠ ନିଷ୍ପତ୍ତି ନେଇଛନ୍ତି ତାହା ଦେଶକୁ ଆଗାମୀ ଦିନରେ ଲାଭ ପହଞ୍ଚାଇବ। ସଂସଦର ଗତ ଅଧିବେଶନରେ ଏକାଧିକ ବିଲ୍ ଗୃହୀତ ହୋଇଛି। ଗତ ଅଧିବେଶନରେ ଯେତିକି କାର୍ଯ୍ୟ ହୋଇଛି ଗତ ୬୦ ବର୍ଷ ମଧ୍ୟରେ ସଂସଦର କୌଣସି ଅଧିବେଶନରେ ଏତେ କାର୍ଯ୍ୟ ହୋଇ ନଥିଲା ବୋଲି ସେ କହିଛନ୍ତି। ରେକର୍ଡ ପରିମାଣର କାର୍ଯ୍ୟ ହୋଇଥିବାରୁ ସେ ସବୁ ଦଳକୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି। କୃଷି ଏବଂ କୃଷକଙ୍କ ପାଇଁ ଅତୀତରେ ନିଆଯାଇଥିବା ପଦକ୍ଷେପ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗ ମୋଦୀ ଉଲ୍ଲେଖ କରିଛନ୍ତି। ସରକାର ଖୁବଶୀଘ୍ର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରିବେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।

ଜୁଲମ, ଅବ୍ୟବସ୍ଥା ଓ ଅରାଜକତା: କଂଗ୍ରେସ

ନୂଆଦିଲ୍ଲୀ : ମୋଦୀ ୨.୦ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମାଲୋଚନା କରିଛି। ଏଥିପାଇଁ ଦଳ ୩ଟି ଶବ୍ଦ ପ୍ରୟୋଗ କରିଛି। ତାହା ହେଲା ଜୁଲମ, ଅବ୍ୟବସ୍ଥା ଏବଂ ଅରାଜକତା। କଂ‌ଗ୍ରେସ ପକ୍ଷରୁ କୁହାଯାଇଛି, ଦେଶର ୮ଟି ମୌଳିକ କ୍ଷେତ୍ରର ଅଭିବୃଦ୍ଧି ୨ ପ୍ରତିଶତ ତଳକୁ ଏବଂ ଜିଡିପି ୫ ପ୍ରତିଶତ ସ୍ତରକୁ ଖସିଯାଇଥିଲେ ମଧ୍ୟ ଅର୍ଥମନ୍ତ୍ରୀ ଏବେ ବି ଏହି ବିଷୟକୁ ସ୍ବୀକାର କରିବାକୁ ରାଜିନାହାନ୍ତି। କଂଗ୍ରେସ କହିଛି, ସମସ୍ୟାର ସମାଧାନ ପାଇଁ ପ୍ରଥମେ ତାହାକୁ ଚିହ୍ନଟ କରାଯିବା ଆବଶ୍ୟକ। ତେବେ ଏହି ସରକାର ଏ ଦିଗରେ ବିଫଳ ହୋଇଛି ବୋଲି କଂଗ୍ରେସ କହିଛି। ଯେତେବେଳେ ଅନ୍ୟସବୁ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି ସେତେବେଳେ ବିରୋଧୀ ଦଳର ପ୍ରମୁଖ ନେତାମାନଙ୍କୁ ଗିରଫ କରି ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରାଯାଉଛି ବୋଲି କଂଗ୍ରେସ ମତ ଦେଇଛି। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୦୦ ଦିନରେ କୌଣସି ବିକାଶ ହୋଇ ନଥିବାରୁ ସରକାରଙ୍କୁ ଏଥିପାଇଁ ବିଦ୍ରୂପରେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର