ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଜି ୧୦୦ ଦିନ ପୂରିଛି। ଆନ୍ଦୋଳନକୁ ଆହୁରି ତୀବ୍ର କରିବାପାଇଁ ଆଜି ଚାଷୀ ନେତାମାନେ ଶପଥ ନେଇଛନ୍ତି। ଆଜିର ଦିନକୁ ସେମାନେ ‘କଳା ଦିବସ’ ଭାବେ ପାଳନ କରିଛନ୍ତି। ନୂଆ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନେ ପଛକୁ ହଟିବେ ନାହିଁ ବୋଲି ପୁଣିଥରେ ସରକାରଙ୍କୁ ଚେତାଇ ଦେଇଛନ୍ତି। ଚାଷୀମାନେ ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦିଲ୍ଲୀରେ କୁନ୍ଦଲି-ମନେସର-ପଲ୍ୱଲ୍ ଏକ୍ସପ୍ରେସ୍ୱେ ବନ୍ଦ କରିଛନ୍ତି। । ଏହି ରାସ୍ତା ଅବରୋଧ କାର୍ଯ୍ୟକ୍ରମ ପାଇଁ ଚାଷୀମାନେ କାର୍ , ଟ୍ରକ୍ ଏବଂ ଟ୍ରାକ୍ଟରରେ ଆସି ପହଞ୍ଚିଥିଲେ। ଆନ୍ଦୋଳନକାରୀ କେଏମ୍ପି ଏକ୍ସପ୍ରେସ୍ୱେ ରାସ୍ତାରେ ଥିବା ଟୋଲ୍ ପ୍ଲାଜା ବନ୍ଦ କରିଛନ୍ତି। ଗାଜିପୁର ଏବଂ ଟିକ୍ରି ସୀମା ବାଦ୍ ଚାଷୀମାନେ ଦାସ୍ନା ଏବଂ ବାହାଦୁରଗଡ଼ ଟୋଲ୍ ପ୍ଲାଜା ମଧ୍ୟ ବନ୍ଦ ରଖିଛନ୍ତି।
ଏକ୍ସପ୍ରେସ୍ୱେରେ ଆନ୍ଦୋଳନରତ ଚାଷୀମାନେ ସେମାନଙ୍କ ନିଜ ନିଜ ସଂଘର ପତାକା ଧରି ପଦଯାତ୍ରା କରିଥିଲେ। ସେମାନେ ସରକାର ବିରୋଧୀ ସ୍ଲୋଗାନ୍ ଦେଇଥିଲେ। ପଂଜାବର ଚାଷୀ ନେତାମାନେ କହିଛନ୍ତି, ମୋଦୀ ସରକାର ଏହି ଆନ୍ଦୋଳନକୁ ଏକ ଅହଙ୍କାର ପ୍ରସଙ୍ଗରେ ପରିଣତ କରିଦେଇଛନ୍ତି। କୃଷକମାନଙ୍କ କଷ୍ଟକୁ ସରକାର ପରିହାସରେ ଉଡ଼ାଉଛନ୍ତି ବୋଲି ଜଣେ ଚାଷୀ ନେତା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣିଥରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୧୦୦ ଦିନ ହେଲା ନିଜ ଅହଙ୍କାର ସହିତ ସରକାର ଅଛନ୍ତି ବୋଲି ସେ କହିଛନ୍ତି।