କାବୁଲରେ ବିସ୍ଫୋରଣ, ୧୦୦ ମୃତ

କାବୁଲ : କାବୁଲର ଏକ ଶିକ୍ଷାନୁଷ୍ଠାନରେ ଶୁକ୍ରବାର ଦିନ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଅତିକମ୍‌ରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ଅଛନ୍ତି। ସହରର ପଶ୍ଚିମ ଭାଗ‌ରେ ଦସ୍ତ ଏ ବର୍ଚି ଅଞ୍ଚଳର କାଜ୍‌ ଶିକ୍ଷା କେନ୍ଦ୍ରରେ ଆଜି ଏହି ଆକ୍ରମଣ ହୋଇଛି। ସକାଳ ପ୍ରାୟ ୭.୩୦ ସମୟରେ ବିଦ୍ୟାର୍ଥୀମାନେ ଏକ ପ୍ରାକ୍ଟିସ ‌ୟୁନିଭର୍ସିଟି ଏଣ୍ଟ୍ରାନ୍ସ ପରୀକ୍ଷା ଦେଉଥିବାବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସ୍କୁଲର ୪ଟି କକ୍ଷ ସଂପୂର୍ଣ୍ଣ ଧସ୍ତ ହୋଇଯାଇଛି। ଧ୍ବଂସସ୍ତୂପ ଭିତରୁ ଶବ ବାହାର କରିବା ଓ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ୨୩ଟି ମୃତଦେହ ଚିହ୍ନଟ ହୋଇଛି। ୪୦ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି। ବିସ୍ଫୋରଣ ସ୍ଥଳ ନିକଟରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସେ ଗେଟ୍‌ ପାଖରୁ ମାତ୍ର ୨୦ ପାଦ ପଛକୁ ଥିବାବେଳ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ କେତେକ ଶ୍ରେଣୀଗୃହ ଓ ପରୀକ୍ଷା କକ୍ଷ ମାଟିରେ ମିଶିଯାଇଥିଲା।

ମାନବୀୟ ସମ୍ବେଦନାକୁ ଦୋହଲାଇ ଦେଇଥିବା ଏହି ବର୍ବର ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ମିଳିଥିବା ସୂଚନାନୁଯାୟୀ ଆକ୍ରମଣକାରୀ ଶିକ୍ଷା କେନ୍ଦ୍ର ବାହାରେ ଜଣେ ସୁରକ୍ଷାକର୍ମୀଙ୍କୁ ଗୁଳି ମାଡ଼ କରିବାପରେ ଶିକ୍ଷାକେନ୍ଦ୍ରର ଏକ ଶ୍ରେଣୀଗୃହରେ ପ୍ରବେଶ କରିଥିଲା ଏବଂ ବିସ୍ଫୋରଣ ଘଟାଇଥିଲା। କାଜ୍‌ ଟ୍ୟୁସନ୍‌ ସେଣ୍ଟର ହେଉଛି ଏକ ଘରୋଇ ସ୍କୁଲ। ତାଲିବାନ ଗୃହ ମନ୍ତ୍ରାଳୟ ମୁଖପାତ୍ର ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହି ଆକ୍ରମଣକୁ ଜାତିସଂଘ ଏବଂ ଆମେରିକା ମଧ୍ୟ ନିନ୍ଦା କରିଛି। ବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ସିଆ ସଂପ୍ରଦାୟର ଥିବାରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନ ଏହାକୁ ଟାର୍ଗେଟ୍‌ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର