ଶତ୍ରୁର ଗୁଳି ନୁହେଁ, କରୋନା ନେଲାଣି ୧୦୦ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ଅତିକ୍ରମ କରି ଯାଇଥିବା ବେଳେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୯,୯୦,୦୬୧ଟି ସକ୍ରିୟ ମାମଲା ଥିବାବେଳେ ୩୮,୫୯,୪୦୦ ରୋଗୀ ଦେଶର ବିଭିନ୍ନ ଡାକ୍ତରଖାନାରୁ ଆରୋଗ୍ୟ ଲାଭକରି ନିଜ ନିଜ ଘରକୁ ଫେରି ଯାଇଛନ୍ତି। ସଂପ୍ରତି ଦେଶରେ କୋଭିଡ୍‌-୧୯ ଆରୋଗ୍ୟ ହାର ୭୭.୮୮ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୬୫ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟରୁ ଜଣାପଡିଛି ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କରୋନା ଯୋଗୁଁ ୧୦୦ ଜଣ ଯବାନଙ୍କ ଜୀବନ ମଧ୍ୟ ଯାଇଛି | ଲୋକସଭାରେ ଆଜି ଗୃହ ମନ୍ତ୍ରାଳୟର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ବାବଦରେ ସୂଚନା ଦେଇଛନ୍ତି | ତାଙ୍କ ସୂଚନା ମୁତାବକ ଏପ୍ରିଲ ମାସରୁ ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ କେନ୍ଦ୍ରୀୟ ସଶକ୍ତ ସୁରକ୍ଷା ବଳର ୧୦୦ ଜଣ ଯବାନ କୋଭିଡ ଯୋଗୁଁ ପ୍ରାଣ ହରାଇଛନ୍ତି |

ତାଙ୍କ ସୂଚନା ମୁତାବକ ବିଏସଏଫ ବା ସୀମା ସୁରକ୍ଷା ବଳର ୨୩ ଜଣ ଯବାନ, ସିଆରପିଏଫ ବା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ୩୫ଜଣ, ସିଆଇଏସଏଫ ବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ୨୪ ଜଣ, ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସର ୭ ଜଣ ଯବାନ, ସଶସ୍ତ୍ର ସୀମା ବଳର ୬ ଜଣ ଓ ଏଆରଏସର ୫ ଜଣ ଯବାନଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି |

ସମ୍ବନ୍ଧିତ ଖବର