ପାକିସ୍ତାନୀ ସେନା ଉପରେ ବେଲୁଚ ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୦୦ରୁ ଅଧିକ ଯବାନ ନିହତ ଆଶଙ୍କା, ଭାରତକୁ ଦାୟୀ କଲା ପାକ୍

କରାଚୀ : ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି ।  ଏହି ଆକ୍ରମଣରେ ୧୦୦ରୁ ଅଧିକ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ବେଲୁଚିସ୍ତାନ ମୁକ୍ତି ସେନା ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣ ପାଇଁ ଭାରତ ଓ ଆଫଗାନିସ୍ତାନକୁ ଦାୟୀ କରିଛି ପାକିସ୍ତାନ ସେନା ।

ପାକିସ୍ତାନରେ ନିଷିଦ୍ଧ ଘୋଷିତ ଏହି ସଂଗଠନ ପକ୍ଷରୁ ଗୁରୁବାର ଏକ ପ୍ରେସ ରିଲିଜ ଜାରି କରି କୁହାଯାଇଛି ଯେ ପାକିସ୍ତାନ ସେନାର ପଂଜଗୁର ଓ ନୁସକି ମିଲିଟାରୀ କ୍ୟାମ୍ପ ଏବେ ଏହା ନିୟନ୍ତ୍ରଣରେ ରହିଛି । ଏସବୁ କ୍ୟାମ୍ପର ଏକ ବଡ଼ ଭାଗ ଧ୍ବଂସ ପାଇଯାଇଛି । ଏସବୁ କ୍ୟାମ୍ପଗୁଡ଼ିକୁ ପୁଣି ନିଜ ନିୟନ୍ତ୍ରଣକୁ ନେବା ପାଇଁ ପାକିସ୍ତାନୀ ସେନା ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଥିଲେ ବି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ । ଏହି ଆକ୍ରମଣ ସଂପର୍କରେ କୌଣସି ଖବର ପ୍ରକାଶ କରିବା ଉପରେ ପାକିସ୍ତାନ ସରକାର କଟକଣା ଜାରି କରିଥିବା ଏହି ବିଚ୍ଛିନ୍ନତାବାଦୀ ସଂଗଠନ କହିଛି ।

ଅନ୍ୟପକ୍ଷରେ ପାକିସ୍ତାନୀ ସେନାର ଜନସଂପର୍କ ସଂସ୍ଥା ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସପିଆର) ପକ୍ଷରୁ କୁହାଯାଇଛି ଯେ ବେଲୁଚ ମୁକ୍ତି ସେନାର ଆକ୍ରମଣକୁ ପଣ୍ଡ କରିଦିଆଯାଇଛି । ଏଥିରେ ୧୨ ବେଲୁଚ ସଂଗ୍ରାମୀ ( ପାକିସ୍ତାନୀ ମତରେ ଆତଙ୍କବାଦୀ) ପ୍ରାଣ ହରାଇଛନ୍ତି । ବେଲୁଚ ଆତଙ୍କବାଦୀଙ୍କ ଟେଲିଫୋନ ଇଣ୍ଟରସେପ୍ଟ କରି ଜଣାପଡ଼ିଛି ଯେ ସେମାନଙ୍କୁ ଭାରତ ଓ ଆଫଗାନିସ୍ତାନରୁ ସହାୟତା ମିଳୁଛି । ଭାରତ ଓ ଆଫଗାନିସ୍ତାନରେ ଥିବା ସେମାନଙ୍କ ହାଣ୍ଡଲରମାନେ ବେଲୁଚ ଆତଙ୍କବାଦୀଙ୍କ ସହ କଥା ହେଉଥିବା ଇଣ୍ଟରସେପ୍ଟ କରାଯାଇଛି ବୋଲି ଆଇଏସପିଆର କହିଛି ।

ସମ୍ବନ୍ଧିତ ଖବର