ଲକ୍ଷ୍ନୌ: ମଧ୍ୟପ୍ରଦେଶ ସୀମାନ୍ତରେ ଥିବା ଉତ୍ତରପ୍ରଦେଶର ତିନିଟି ଗାଁ - ସୌଲଦା, ବାମହୌରି ନାଗଲ ଏବଂ ବୁଧ୍ନି ନାରହାଟ ସୋମବାର ୫ମ ପର୍ଯ୍ୟାୟ ଭୋଟ୍ରେ ଶତପ୍ରତିଶତ ମତଦାନ କରି ରେକର୍ଡ ସ୍ଥାପନ କରିଛି। ଗାଁର ଅନେକ ଭୋଟର୍ ରାଜ୍ୟ ବାହାରେ, ଜିଲ୍ଲା ବାହାରେ ରହୁଥିବାରୁ ସର୍ବଦା ମତଦାନ ହାର ନିମ୍ନରେ ରହୁଥିଲା। ଚଳିତ ଥର ଶତପ୍ରତିଶତ ମତଦାନ ଲକ୍ଷ୍ୟ ପୂରଣ କଷ୍ଟସାଧ୍ୟ ଥିଲେ ହେଁ ସଫଳ ହୋଇଛି। ଏପରିକି ବାହାର ରାଜ୍ୟରେ ଥିବା ଜଣେ ବ୍ୟକ୍ତିଙ୍କୁ ଚାନ୍ଦା କରି ବିମାନ ଟିକେଟ କିଣାଯାଇ ଗାଁକୁ ଅଣାଯାଇଥିଲା।
ସୂଚନାନୁସାରେ, ସୌଲଦାରେ ୩୭୫ ଜଣ ଭୋଟର ଥିବା ବେଳେ, ବାମହୌରି ନାଗଲରେ ୪୪୧ ଏବଂ ବୁଧ୍ନି ନାରହାଟରେ ୨୧୫ ଭୋଟର ରହିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶତପ୍ରତିଶତ ମତଦାନ ଲକ୍ଷ୍ୟ ହାସଲ କରିବାକୁ ମତଦାନର ପ୍ରାୟ ୨ ମାସ ପୂର୍ବରୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସରକାରୀ କର୍ମଚାରୀ, ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଯୋଜନା କରିଥିଲେ।
ଭୋଟର୍ ଶେର ସିଂହ (୨୫) ବେଙ୍ଗାଲୁରୁରେ ରହୁଥିଲେ ଏବଂ ଗାଁକୁ ଆସିବାକୁ ତାଙ୍କ ନିକଟରେ ଆବଶ୍ୟକ ଅର୍ଥ ନଥିଲା। ଫଳରେ ଲୋକେ ଚାନ୍ଦା କରି ବିମାନ ଟିକେଟ କିଣିଥିଲେ। ଶେର ସିଂହ କାମ କରୁଥିବା କମ୍ପାନି ମାଲିକଙ୍କ ସହ କଥା ହୋଇ ତାଙ୍କୁ ଗାଁକୁ ଆଣିବାରେ ସଫଳ ହୋଇଥିଲେ। ସେହିଭଳି ଦିଲ୍ଲୀରେ ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ଠାରେ ଷ୍ଟେନୋ ଭାବେ କାମ କରୁଥିବା ଜୟଦୀପ (୨୪)ଙ୍କୁ ମଧ୍ୟ ଗାଁକୁ ଆଣିବା ନିମନ୍ତେ ଜିଲ୍ଲାପାଳ ବ୍ୟକ୍ତିଗତ ଉଦ୍ୟମ କରି ସଫଳ ହୋଇଥିଲେ।