ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡ଼ଯନ୍ତ୍ର : ଦିନେଶ ତ୍ରିବେଦୀ

କୋଲକାତା : ବାଲେଶ୍ବର ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ । ସେ କହିଛନ୍ତି ଯେ ଏହା କେବଳ ଏକ ଦୁର୍ଘଟଣା ନୁହେଁ, ଅତ୍ୟନ୍ତ ଯୋଜନାବଦ୍ଧ ଷଡ଼ଯନ୍ତ୍ର । କାରଣ ରେଳଲାଇନର ଇଣ୍ଟରଲକିଂ ସିଷ୍ଟମ ସହଜରେ ଖରାପ ହୁଏ ନାହିଁ ।

ସେ କହିଛନ୍ତି ଯେ ଏହି ଦୁର୍ଘଟଣା ସଂପର୍କରେ ଯେଉଁ ସବୁ ତଥ୍ୟ ଆସୁଛି ସେଥିରୁ ସେ ୧୦୦ ପ୍ରତିଶତ ନିଶ୍ଚିତ ଯେ ଏକ ଷଡ଼ଯନ୍ତ୍ର କରାଯାଇ ଏହି ଦୁର୍ଘଟଣା ଘଟାଯାଇଛି । ସିଗନାଲ ଗ୍ରୀନ (ସବୁଜ) ଥିଲା, ଏ କ୍ଷେତ୍ରରେ ଇଣ୍ଟରଲକିଂ ସିଷ୍ଟମ କାମ ନକରିବା ଅସମ୍ଭବ ଥିଲା ।

ରେଳବାଇ ବ୍ୟବସ୍ଥାରେ ଯଦି ଗୋଟିଏ ଇଣ୍ଟରଲକିଂ ସିଷ୍ଟମ ବିଫଳ ହୁଏ ତେବେ ତାହାର ଏକ ବିକଳ୍ପ ବ୍ୟବସ୍ଥା ରହିଛି । ତାହାକୁ କୁହାଯାଏ ‘ଫେଲ-ସେଫ୍’ । ଯଦି ଫେଲ୍ ସେଫ୍ ବ୍ୟବସ୍ଥା ସକ୍ରିୟ ହୋଇଯାଏ ତେବେ ଗୋଟିଏ ନିର୍ଦ୍ଦିଷ୍ଟ ଟ୍ରାକର ସବୁ ସିଗନାଲ ଲାଲ ହୋଇଯିବ ଓ ଟ୍ରେନ ଆଉ ଚାଲିବ ନାହିଁ । ଏକାଥରକେ ଦୁଇ ଦୁଇଟି ବ୍ୟବସ୍ଥା ବିଫଳ ହେବ ନାହିଁ । ଏଣୁ ଏହା କେବଳ ସିଗନାଲ ବିଫଳତା, ଲାଇନଚ୍ୟୁତ ହେବା ଘଟଣା ନୁହେଁ, ଏହା ୧୦୦ ପ୍ରତିଶତ ଏକ ଅନ୍ତର୍ଘାତୀ କାର୍ଯ୍ୟ, ଯାହାକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଇଛି । ଏହାର ତଦନ୍ତ ହେଲେ ଜଣାପଡ଼ିବ ।

ସମ୍ବନ୍ଧିତ ଖବର