ନୂଆଦିଲ୍ଲୀ : ଓମିକ୍ରନ୍ ଭୟ ବଢ଼ାଇଛି। କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ଇତି ମଧ୍ୟରେ ସ୍କୁଲ୍ମାନଙ୍କରେ ସଂକ୍ରମଣ ମାଡ଼ିଲାଣି। କର୍ଣ୍ଣାଟକର ଏକ ଘରୋଇ ସ୍କୁଲ୍ରେ ୧୦୦ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ଦିନ ଚିକ୍କମଗାଲୁର ସହରର ଜବାହର ନବୋଦୟ ସ୍କୁଲ୍ରେ ୬୯ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବାବେଳେ ଆଜି ଏହି ସଂଖ୍ୟା ୯୦କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷେ ୧୧ ଜଣ ସ୍କୁଲ୍ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଚିକ୍କମଗାଲୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ କହିଛନ୍ତି, ସମସ୍ତ ନମୁନା ଗୁଡ଼ିକ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ରବିବାର ସଂକ୍ରମିତ ହୋଇଥିବା ଛାତ୍ରମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା। ସେମାନଙ୍କୁ ପୃଥକ ବ୍ଲକ୍ରେ ଆଇସୋଲେସନରେ ରଖାଯାଇଛି।
ଅନ୍ୟପକ୍ଷେ ତେଲେଙ୍ଗାନାର କରିମନଗର ଜିଲ୍ଲା ଅଧୀନସ୍ଥ ଏକ ମେଡିକାଲ କଲେଜ୍ରେ ୪୩ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ମେଡିକାଲ କଲେଜ୍ରେ ଏକ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ର ବିନା ମାସ୍କରେ ଥିଲେ। ଉକ୍ତ କାର୍ଯ୍ୟକ୍ରମରୁ ସଂକ୍ରମଣ ବ୍ୟାପିଥାଇପାରେ ବୋଲି କୁହାଯାଉଛି। ଇତିମଧ୍ୟରେ ତେଲେଙ୍ଗାନାରେ ୨୦୦ ଛାତ୍ର ସଂକ୍ରମିତ ହୋଇଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କହିଛନ୍ତି, ରାଜ୍ୟରେ ସ୍କୁଲ୍, କଲେଜ୍ ଏବଂ ଆପାର୍ଟମେଣ୍ଟ୍ରୂ ନୂଆ ସଂକ୍ରମଣ ଚିହ୍ନଟ ହେଉଛି। ଦେଶର ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା କର୍ଣ୍ଣାଟକର ୪ଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଛି। ତୁମକୁର ଜିଲ୍ଲାରେ ନଭେମ୍ବର ୨୬ରୁ ଡିସେମ୍ବର ୨ ମଧ୍ୟରେ ୧୫୨ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି।