ୟୁପି ମେଡିକାଲ କଲେଜରେ ରାଗିଙ୍ଗ: ୧୦୦ ମେଡିକାଲ ଛାତ୍ରଙ୍କୁ ଜବରଦସ୍ତ କରାଗଲା ଲଣ୍ଡା

ଇଟାୱା: ଉତ୍ତରପ୍ରଦେଶ ଇଟାୱାର ସରକାରୀ ମେଡିକାଲ୍ କଲେଜରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ  | କନିଷ୍ଠ ଛାତ୍ରଛାତ୍ରୀଙ୍କୁ ରାଗିଂ କରି ଲଣ୍ଡା କରାଯାଇଛି। ରାଗିଂର ଶିକାର ଏହି ଛାତ୍ରଛାତ୍ରୀଙ୍କୁ ଲଣ୍ଡା ହୋଇ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ସାଲ୍ୟୁଟ୍ ମାରିବାକୁ କୁହାଯାଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ଲଣ୍ଡା ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଜୁନିୟର ଛାତ୍ରଛାତ୍ରୀଙ୍କ ଉପରେ ସିନିୟର୍ ଛାତ୍ର ଆଧିପତ୍ୟ ଜମାଇବାରେ ଲାଗିଛନ୍ତି । କ୍ଲାସରୁ ଆରମ୍ଭ କରି କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ମୁଣ୍ଡ ତଳକୁ ପୋତି ଚାଲିବାକୁ ବାଧ୍ୟ କରାଯାଉଛି । ସେମାନଙ୍କ ଏହି ର‌୍ୟାଗିଙ୍ଗ୍ ଏତେ ବଢିଯାଇଥିଲା ଯେ ଜୁନିୟର ଛାତ୍ରମାନଙ୍କୁ ଲଣ୍ଡା କରାଯାଇଥିଲା | ତେବେ ମେଡିକାଲ୍ କଲେଜରେ ଏଭଳି ର‌୍ୟାଗିଙ୍ଗ୍  ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ଆପଣଙ୍କୁ କହିରଖୁଛୁ ଏହି ମେଡିକାଲ୍ କଲେଜ ସମାଜବାଦୀ ପାର୍ଟି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ଗାଁ ସେଫଇରେ ପ୍ରତିଷ୍ଠା କରାଯାଇଛି | ଏହି ସରକାରୀ କଲେଜରେ ଏମବିବିଏସ୍ ,ଏମଏସ୍ ,ଏମଡି ,ପାରାମେଡିକାଲ୍ ସମେତ ଅନ୍ୟାନ୍ୟ ବିଷୟ ମଧ୍ୟ ଶିକ୍ଷା ଦିଆଯାଏ । ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ଏହି କଲେଜର ମେଡିକାଲ୍ ବିଭାଗରେ ୧୫୦ ଛାତ୍ରଛାତ୍ରୀ ଏମବିବିଏସ୍ ପାଠ ପଢୁଛନ୍ତି । ଏନେଇ କଲେଜ୍ କୁଳପତି କହିଛନ୍ତି , ଯଦି କୌଣସି ଛାତ୍ର ବିଶ୍ୱବିଦ୍ୟାଳୟର ଅନୁଶାସନକୁ ଭାଙ୍ଗିବାକୁ ଚେଷ୍ଟା କରିବେ ତେବେ ଏନେଇ ଉକ୍ତ ଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଯାତିତ ଛାତ୍ରମାନେ ଚୁପ୍ ରହିବା ବଦଳରେ ୱାର୍ଡେନ୍ ଙ୍କୁ ଏନେଇ ଅଭିଯୋଗ କରିପାରିଥାନ୍ତେ। ତେବେ ଘଟଣା ସାମ୍ନାକୁ ଆସିବାପରେ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ନଜର ଏହା ଉପରେ ରହିଛି ।

ସମ୍ବନ୍ଧିତ ଖବର