୬ ମାସରେ ଜମ୍ମୁକଶ୍ମୀରରେ ସଫା ହେଲେଣି ୧୦୦ ଆତଙ୍କବାଦୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଜମ୍ମୁକଶ୍ମୀରରେ ସୁରକ୍ଷାବାହିନୀ ଦ୍ୱାରା ପରିଚାଳିତ ‘ଅପରେସନ୍ ଅଲ୍ ଆଉଟ୍’ ଅଧୀନରେ ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ମୋଟ ୧୦୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଜମ୍ମୁକଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଗୁଳିରେ ତିନି ଜଣ ଲଶ୍କର ଆତଙ୍କବାଦୀ ନିହତ ହେବା ପରେ ଏହାକୁ ମିଶାଇ ଚଳିତ ବର୍ଷ ବିଭିନ୍ନ ଅପରେସନରେ ୧୦୦ ଆତଙ୍କବାଦୀ ନିହତ ହୋଇଛନ୍ତି | ରିପୋର୍ଟ ଅନୁଯାୟୀ, ସୁରକ୍ଷାବାହିନୀ ଜମ୍ମୁକଶ୍ମୀରରେ ଆତଙ୍କବାଦକୁ ହଟାଇବା ପାଇଁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି, ତଥାପି ଆତଙ୍କବାଦୀ ସଂଗଠନ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦ ସଙ୍ଗଠନରେ ସାମିଲ କରାଇବାକୁ ଲଗାତାର ଚେଷ୍ଟା କରୁଛନ୍ତି। ସୂଚନାନୁସାରେ, ବର୍ତ୍ତମାନ ଘାଟିରେ ବିଭିନ୍ନ ଆତଙ୍କବାଦୀ ସଂଗଠନର ପ୍ରାୟ ୧୫୮ଜଣ ଆତଙ୍କବାଦୀ ଅଛନ୍ତି।

ସୂଚନାନୁସାରେ, ଅଧିକାଂଶ ଆତଙ୍କବାଦୀ ଲଶ୍କର-ଏ-ତୋଇବାର ଅଛନ୍ତି । ବର୍ତ୍ତମାନ ଘାଟିରେ ୮୩ ଜଣ ଲଶ୍କର-ଇ-ତୋଇବାର ଆତଙ୍କବାଦୀ, ଜୈସର ୩୦ ଏବଂ ହିଜବୁଲ ମୁଜାହିଦ୍ଦିନର ୩୮ ଆତଙ୍କବାଦୀ ରହିଛନ୍ତି । ଗୁଇନ୍ଦା ସଂସ୍ଥା ଅନୁଯାୟୀ ପାକିସ୍ତାନୀ ସେନା ଏକ ଡଜନରୁ ଅଧିକ ଆତଙ୍କବାଦୀ ଶିବିରକୁ ପୁନଃ ସକ୍ରିୟ କରିଛି।

ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଉରି ଏବଂ କଶ୍ମୀର ନିକଟରେ ଆତଙ୍କବାଦ ଲଞ୍ଚ ପ୍ୟାଡରେ ଗତିବିଧି ଦେଖାଦେଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଦ୍ୱାରା ଅନେକ ଲଶ୍କର, ଜୈସ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇଥିଲା। ଉପତ୍ୟକାରେ ଅମରନାଥ ଯାତ୍ରାକୁ ବାଧା ଦେବା ଲକ୍ଷ୍ୟରେ ଏହି ଆତଙ୍କବାଦୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି।

ସମ୍ବନ୍ଧିତ ଖବର