ଇନ୍ଦୋର: ସଂପ୍ରତି ଦେଶରେ କରୋନାଭାଇରସ୍‌ର ଦ୍ୱିତୀୟ ଲହର କାୟା ବିସ୍ତାର କରିବାକୁ ଆରମ୍ଭ କରିଥିବା ବେଳେ ଆଜି ମଧ୍ୟପ୍ରଦେଶର ଇନ୍ଦୋରରେ ଜନୈକା ୧୦୦ ବର୍ଷ ବୟସ୍କା ମହିଳାଙ୍କୁ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

Advertisment

ଇନ୍ଦୋର ସହରର ମହାଲକ୍ଷ୍ମୀ ନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ବାସିନ୍ଦାଙ୍କ ଦ୍ୱାରା ଆୟୋଜିତ ଏକ ଶିବିରରେ ଏକ ଘରୋଇ ଡାକ୍ତରଖାନା ଦ୍ୱାରା ଏହି ଟିକା ଦାନ କରାଯାଇଥିଲା।

ଜିଲ୍ଲା ଟୀକାକରଣ ଅଧିକାରୀ ଡ. ତରୁଣ ଗୁପ୍ତା କହିଛନ୍ତି ଯେ ଏହି ଶତାୟୁ ମହିଳା ହେଉଛନ୍ତି ରାଜ୍ୟରେ ଟୀକାକରଣର ଅନ୍ୟତମ ବୟସ୍କା ହିତାଧିକାରୀ। ପୂର୍ବରୁ ମାର୍ଚ୍ଚ ୨୭ରେ ଜଣେ ୧୦୭ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍‌-୧୯ ଟକା ଦିଆଯାଇଥିଲା ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀରେ ଇନ୍ଦୋର ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଏବଂ ଏହି ଅଞ୍ଚଳର ଯୋଗ୍ୟ ଲୋକଙ୍କୁ ପ୍ରତିଦିନ ୫୦,୦୦୦ ଡୋଜ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ସ୍ଥାନୀୟ ପ୍ରଶାସନ ଆଜି ଏକ ଟୀକାକରଣ ପର୍ବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଜିଲ୍ଲାରେ ଏପର୍ଯ୍ୟନ୍ତ ୭୦,୯୯୧ ଜଣ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ବେଳେ ୯୬୫ ଜଣଙ୍କର ମୃତ୍ୟୁ ଘଟିଛି।