ନୂଆଦିଲ୍ଲୀ: ୧୦୦ ବର୍ଷର ବେକାରୀ ଓ ସ୍ବ-ରୋଜଗାର ସମସ୍ୟା ୧୦୦ ଦିନରେ ସମାଧାନ ହୋଇ ପାରିବ ନାହିଁ ବୋଲି ଆଜି ୧୦ ଲକ୍ଷ କର୍ମଚାରୀ ନିଯୁକ୍ତି ଅଭିଯାନ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୮ ବର୍ଷ ହେବ ଚାକିରି ଓ ସ୍ବ-ରୋଜଗାର ନିମନ୍ତେ ‘ରୋଜଗାର ମେଳା’ ହେଉଛି ସରକାରଙ୍କ ଉଦ୍ୟମର ଗୋଟାଏ ଗୁରୁତ୍ବପୂର୍ଣ୍ଣ ଘଟଣା। ଯୁବାମାନଙ୍କୁ ଯଥା ସମ୍ଭବ ଅଧିକ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏକାଧିକ କ୍ଷେତ୍ରରେ କାର୍ଯ୍ୟ ଚଳାଇଛନ୍ତି।

ବାସ୍ତବ କଥା ହେଉଛି ବିଶ୍ବର ପରିସ୍ଥିତି ଏବେ ଭଲନାହିଁ। ଅନେକ ବୃହତ୍ ଅର୍ଥନୀତି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେ‌ତେକ ଦେଶରେ ଉତ୍କଟ ମୁଦ୍ରସ୍ଫୀତି ଓ ବେକାରୀ ସମସ୍ୟା ସର୍ବୋଚ୍ଚସ୍ତର ଛୁଇଁଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ୍‌-୧୯ ମହାମାରୀଜନିତ ଆର୍ଥିକ ସମସ୍ୟା ସୁଧାରିବା ନିମନ୍ତେ ଭାରତ ସରକାର ମଧ୍ୟ କାର୍ଯ୍ୟ ଚଳାଇଛନ୍ତି।

publive-image Image Courtesy of NDTV

ନିଯୁକ୍ତି ପାଇବାକୁ ନୂଆ ମନୋନୀତ ହୋଇଥିବା ୭୫ ହଜାରରୁ ଅଧିକ ଯୁବାଙ୍କୁ ଆଜି ଆୟୋଜିତଏହି କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତିରେ ଉଲ୍ଲେଖ ଅଛି ଯୁବାଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଏବଂ ନାଗରିକମାନଙ୍କ ମଙ୍ଗଳ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିରନ୍ତର ପ୍ରତିବଦ୍ଧତା ପରିପୂରଣ କ୍ଷେତ୍ରରେ ଏହା ହେଉଛି ଆଉ ଏକ ସୋପାନ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏହି ଅଭିଯାନରେ ମଞ୍ଜୁର ହୋଇଥିବା ଖାଲି ପଡ଼ିଥିବା ପଦବୀ ସବୁ ପୂରଣ କରିବା ଲାଗି ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗ ଉଦ୍ୟମ ଚଳାଇଛନ୍ତି ବୋଲି ଉକ୍ତ ବିବୃତିରେ ଉଲ୍ଳେଖ ଅଛି। ସମଗ୍ର ଦେଶରୁ ନବ ନିଯୁକ୍ତି ପାଇଥିବା ଯୁବାମାନେ ଭାରତ ସରକାରଙ୍କର ୩୮ଟି ମନ୍ତ୍ରାଳୟ/ବିଭାଗରେ ଯୋଗ ଦେବେ।

ନବ ନିଯୁକ୍ତମାନେ ସରକାରଙ୍କ ‘ଗ୍ରୁପ୍-ଏ’, ‘ଗ୍ରୁପ୍‌-ବି (ଗେଜେଟେଡ୍‌)’, ‘ଗ୍ରୁପ୍‌-ବି (ଅଣଗେଜେଟେଡ୍‌)’ ‘ଏବଂ ଗ୍ରୁପ୍‌-ସି’ ଭଳି ବିଭିନ୍ନ ସ୍ତରରେ ଚାକିରି କରିବେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ କରାଯାଇଛି।