ହାଇଦ୍ରାବାଦରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ସମଗ୍ର ତେଲେଙ୍ଗାନାରେ ୫୦ ମୃତ

ହାଇଦ୍ରାବାଦ : ଲଘୁଚାପ ବର୍ଷା ଯୋଗୁଁ  ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେବଳ ତେଲେଙ୍ଗାନାରେ ପ୍ରାୟ ୫୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କେବଳ ରାଜଧାନୀ ହାଇଦ୍ରାବାଦରେ  ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ତେଲେଙ୍ଗାନାରେ ଗତ ୨ ସପ୍ତାହରେ ସ୍ବାଭାବିକଠାରୁ ୧୪୪ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି । କେବଳ ହାଇଦ୍ରାବାଦରେ  ସ୍ବାଭାବିକଠାରୁ ୪୦୪ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି । ହାଇଦ୍ରାବାଦରେ ଏତେ ବର୍ଷା ହୋଇଛି ଯେ ସମଗ୍ର ସହରଟି ଏକ ନଦୀ ମଧ୍ୟରେ ବୁଡ଼ିଗଲା ପରି ଲାଗୁଛି  । ସହରରେ କେବଳ ୧୩ ଅକ୍ଟୋବର ଦିନ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି, ଯାହାକି ଗତ ୧୦୦ ବର୍ଷରେ ଏକ ରେକର୍ଡ ବୋଲି କୁହାଯାଉଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଏହି ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ରାଜ୍ୟର ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ନିବେଦନ କରିଛନ୍ତି । ଏହା ସହିତ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଲୋକଙ୍କ ନିକଟରେ ରିଲିଫ ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରିଲିଫ କାର୍ଯ୍ୟପାଇଁ ରାଜ୍ୟରେ ସେନା ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର