ୱାଶିଂଟନ: ସାଧାରଣତଃ ଜଣେ ଅପରାଧୀଙ୍କୁ ୧୦ ବର୍ଷ, ୨୦ ବର୍ଷ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ। କିନ୍ତୁ ଆମେରିକାର ଏକ କୋର୍ଟ ଜଣେ ଅପରାଧୀଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ଯଦି ଅପରାଧୀ ୧୦୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ସମାପ୍ତ କରନ୍ତି ତେବେ ସେ ୨୧୨୦ ମସିହାରେ ପାରୋଲ ପାଇଁ ଯୋଗ୍ୟ ହେବେ।
୨୦୨୦ରେ ଏକ ଉତ୍ସବରେ ଦୁଇ ରାଜ୍ୟରେ ଗୁଳିକାଣ୍ଡ କରିଥିବା ଅଭିଯୋଗରେ ଲାସ୍ ଭେଗାସ୍ର ଜଣେ ଜଜ୍ ଟେକ୍ସାସର ଜଣେ ବ୍ୟକ୍ତିଙ୍କୁ ୧୦୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ନେଭାଦାରେ ହୋଇଥିବା ଏହି ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିଲା।
ଖ୍ରୀଷ୍ଟୋଫର୍ ମ୍ୟାକଡୋନେଲଙ୍କୁ ୧୦୦ବର୍ଷ କରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏବେ ତାଙ୍କୁ ୩୨ବର୍ଷ । ଅକ୍ଟୋବରରେ ଖ୍ରୀଷ୍ଟୋଫର ହତ୍ୟା, ହତ୍ୟା ଉଦ୍ୟମ, ହତ୍ୟା ଷଡଯନ୍ତ୍ର, ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ତାଙ୍କଠାରୁ ଜବତ ହୋଇଥିବା ଭଳି ୨୦ରୁ ଅଧିକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
କ୍ଲାର୍କ କାଉଣ୍ଟି ଜିଲ୍ଲା ଜଜ୍ ଟାୟରା ଜୋନ୍ସ ଶୁକ୍ରବାର ଦିନ ଖ୍ରୀଷ୍ଟୋଫରଙ୍କୁ ସର୍ବନିମ୍ନ ୧୦୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ୧୦୦ ବର୍ଷ ପରେ ବଞ୍ଚନ୍ତି, ତେବେ ସେ ୨୧୨୦ରେ ପାରୋଲ ପାଇବାକୁ ଯୋଗ୍ୟ ହେବେ।
କେବଳ ମ୍ୟାକଡୋନେଲ ନୁହଁନ୍ତି ତାଙ୍କ ଭାଇ ଶନ୍ ମ୍ୟାକଡୋନେଲ (୩୪) ଏବଂ ଶନ୍ ମ୍ୟାକଡୋନେଲଙ୍କ ତତ୍କାଳୀନ ପତ୍ନୀ କେଲେ ଲୁଇସ୍ (୨୯) ମିଳିତ ଭାବେ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ପୁଲିସ ଏବଂ ଓକିଲମାନେ କହିଛନ୍ତି ଯେ, ୨୬ ନଭେମ୍ବର ୨୦୨୦ରେ ଏହି ତିନିଜଣ ଲାସ୍ ଭେଗାସ୍ ଠାରେ ୧୧ଘଣ୍ଟାଧରି ଗୁଳି ଚାଳନା କରିଥିଲେ।
ଅଧିକ ପଢ଼ନ୍ତୁ:ସିରିଆରେ ଅଡୁଆରେ ଆମେରିକା: ତୁର୍କୀ-ଇସ୍ରାଏଲ ଚିନ୍ତାରେ
ସେମାନେ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡ ଯୋଗୁ ଲାସ୍ ଭେଗାସ୍ ନିକଟ ହେଣ୍ଡରସନ୍ର ଏକ ଦୋକାନରେ ୨୨ ବର୍ଷିୟ କେଭିନ୍ ମେଣ୍ଡିଓଲା ଜୁନିଅରଙ୍କର ମୃତ୍ୟୁ ଘଟିଥିଲା।
ଅପରାଧୀମାନେ ଗୁଳି ଚଳାଉଥିବା ସମୟରେ ସେମାନଙ୍କ କାରଟି ଓଲଟି ପଡ଼ିବା ପରେ ତିନିଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ କହିଛନ୍ତି ଯେ, ଏହି ଗୁଳିକାଣ୍ଡ ଘଟଣାରେ ଡ୍ରାଇଭର ଲୁଇସ୍ ମଧ୍ୟ ସମ୍ପୃକ୍ତ ଥିଲେ, ସେ କେବଳ କାର୍ ଚଳାଉଥିଲେ ଏବଂ ଅନ୍ୟ ଦୁଇ ଭାଇ କାରର ଝରକା ଭିତରୁ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଉଥିଲେ। ସଚିନ ମ୍ୟାକଡୋନେଲ ଏବଂ ଲୁଇସ୍ କୋର୍ଟ ରାୟକୁ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ:ଇସ୍ରାଏଲ ଆକ୍ରମଣ କରି ଲାଲ୍ ରେଖା ଅତିକ୍ରମ କରିଛି: ସିରିଆ ବିଦ୍ରୋହୀଙ୍କ ଚେତାବନୀ