ଅମୃତସର: ଏପ୍ରିଲ ୧୩ରେ ଜାଲିୱାନାୱାଲା ବାଗ୍‌ ନରସଂହାରର ଶତବାର୍ଷିକୀ ପାଳନ ହେବାକୁ ଥିବାବେଳେ ଅମୃତସର ପୁଲିସ ସହରରେ ଦୁଇ ମାସ ଯାଏଁ ୧୪୪ ଧାରା ଜାରି କରିଛି। ଜୁନ ୧୭ ପର୍ଯ୍ୟନ୍ତ ପୁଲିସର ବିନା ଅନୁମତିରେ କୌଣସି ସଭା କିମ୍ବା ସମାବେଶ କରାଯାଇପାରିବ ନାହିଁ। ଧନଜୀବନର ସୁରକ୍ଷା ପାଇଁ ଏହି ନିର୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ଅମୃତସର ଡିସିପି ଭୂପିନ୍ଦର ସିଂହ। ୧୪୪ ଧାରା ବଳବତ୍ତର ରହିଥିବା ପର୍ଯ୍ୟନ୍ତ ଅର୍ଥାତ ଜୁନ ୧୭ ଯାଏଁ ସହରର କୌଣସି ସ୍ଥାନରେ ପାଞ୍ଚ କିମ୍ବା ପାଞ୍ଚ ଜଣରୁ ଅଧିକ ଲୋକ ପୁଲିସର ବିନା ଅନୁମତିରେ ସମାବେଶ କିମ୍ବା ପ୍ରତିବାଦ ସଭା କରିପାରିବେ ନାହିଁ। ଡିସିପି ସିଂହଙ୍କ ସୂଚନା ଅନୁଯାୟୀ, କିଛି ରାଜନୈତିକ ଏବଂ କୃଷକ ସଂଗଠନ ପ୍ରତିବାଦ ସଭା, ରାଲି ଏବଂ ଧାରଣା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେମାନେ ସାଧାରଣ ଲୋକଙ୍କ ଭାବନାକୁ ଜାଗ୍ରତ କରି ଧନଜୀବନ ନଷ୍ଟ ହେଲା ଭଳି କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି। ତେଣୁ ଅଘଟଣକୁ ଏଡ଼ାଇବାକୁ ସହରରେ ୧୪୪ଧାରା ଜାରି କରାଯାଇଛି ବୋଲି ସୂଚନା ଦେବା ସହ ଡିସିପି କହିଛନ୍ତି ଏହାଦ୍ୱାରା ସାଧାରଣ ଲୋକଙ୍କ ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

Advertisment

ଉଲ୍ଲେଖନୀୟ, ୧୯୧୯ ଏପ୍ରିଲ ୧୩ ବୈଶାଖୀ ଦିନ ଜାଲିୱାନାୱାଲ ବାଗ୍‌ ଠାରେ ହଜାର ହଜାର ଲୋକ ବ୍ରିଟିସ ସରକାର ବିରୋଧରେ ସମ୍ମିଳିତ ହୋଇଥିବା ବେଳେ ଜେନେରାଲ ଡାୟାର ଲୋକଙ୍କ ଉପରେ ଗୁଳିଚାଳନାର ନିର୍ଦେଶ ଦଇଥିଲେ। ଉକ୍ତ ଗୁଳିକାଣ୍ଡରେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ। ଉକ୍ତ ନରସଂହାରର ଶତବାର୍ଷିକୀ ପାଳନ ଅବସରରେ ଏପ୍ରିଲ ୧୨ରେ କ୍ୟାଣ୍ଡେଲ ଶୋଭାଯାତ୍ରା ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଯୋଗଦେବା କାର୍ଯ୍ୟକ୍ରମ ଥିବା ବେଳେ ଏପ୍ରିଲ ୧୩ ସମାବେଶରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।