ଦିନକରେ ପ୍ରାୟ ୧୦ ହଜାର ମାମଲା: ସପ୍ତାହକ ମଧ୍ୟରେ ସଂକ୍ରମଣ ମାମଲା ୩ ଲକ୍ଷ ପାର ହେବ

ଖୁବ୍‌ଶୀଘ୍ର ସଂକ୍ରମଣରେ ଇଟାଲିକୁ ଟପିବ

ନୂଆଦିଲ୍ଲୀ: ଦେଶରେ ଏବେ କରୋନାଭାଇରସ୍‌ ସଂକ୍ରମଣକୁ ନେଇ ସ୍ଥିତି ଜଟିଳ ହେବାରେ ଲାଗିଛି। ଦିନକରେ ଦେଶରେ ପ୍ରାୟ ୧୦ ହଜାର ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ୯,୮୫୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭୩ ଜଣଙ୍କ ମୃ୍ତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୦ରେ ପହଞ୍ଚିଛି ଏବଂ ୬,୩୪୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଚଳିତ ସପ୍ତାହରେ ଦେଶର ମୃତ୍ୟୁସଂଖ୍ୟା ୧୮ ପ୍ରତିଶତ ବଢ଼ିଯାଇଛି। ବିଶ୍ବରେ ୧୨ତମ ରାଷ୍ଟ୍ର ଭାବେ ଭାରତରେ ମୃତ୍ୟୁସଂଖ୍ୟା ସର୍ବାଧିକ ରହିଛି। ଗତ ୧୭ ଦିନ ମଧ୍ୟରେ ଦେଶରେ ମୃତ୍ୟୁସଂଖ୍ୟା ୨ ଗୁଣା ହୋଇଥିବା କୁହାଯାଉଛି। ସେହିପରି ୧୫ ଦିନ ତଳେ ଦେଶରେ ସଂକ୍ରମଣ ମାମଲା ଯେତିକି ଥିଲା ଏବେ ତାହା ଦୁଇଗୁଣ ହୋଇଛି। ଦେଶରେ ଏବେ ମୋଟ୍‌ ସକ୍ରିୟ ମାମଲା ୧ ଲକ୍ଷ ୧୦ ହଜାର ୯୬୦ ଥିବାବେଳେ ୧ ଲକ୍ଷ ୯ ହଜାର ୪୬୧ ଜଣ ସୁସ୍ଥ ହୋଇଛନ୍ତି। ଯଦି ସଂକ୍ରମଣ ଏମିତି ବଢ଼ିଚାଲେ ତେବେ ସପ୍ତାହକ ମଧ୍ୟରେ ଦେଶରେ ମାମଲା‌ ୩ ଲକ୍ଷ ଟପିଯିବ ଏବଂ ଦିନକ ମଧ୍ୟରେ ଭାରତ ସଂକ୍ରମଣ ମାମଲାରେ ଇଟାଲିକୁ ଟପିଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶରେ ସଂକ୍ରମଣ ଦ୍ବିଗୁଣା ହେବା ହାର ପୂର୍ବ ତୁଳନାରେ କମିଥିଲେ ମଧ୍ୟ ବିଶ୍ବରେ ଅନ୍ୟ ପ୍ରଭାବିତ ରା‌ଷ୍ଟ୍ର ତୁଳନାରେ ଭାରତରେ ନୂଆ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହଠାତ୍‌ ବଢ଼ିଯାଇଛି। ଏହା ଭାରତ ପାଇଁ ଏକ ନୂଆ ଚ୍ୟାଲେଂଜ ହୋଇଛି।

ଦେଶରେ ୫ ଟି ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟାର ୮୩ ପ୍ରତିଶତ ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨,୭୧୦ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ର ପରେ ଗୁଜରାଟରେ ୧,୧୫୫, ଦିଲ୍ଲୀରେ ୬୫୦, ମଧ୍ୟପ୍ରଦେଶରେ ୩୭୭, ପଶ୍ଚିମବଙ୍ଗରେ ୩୫୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀ, ବିହାର ଏବଂ ତାମିଲନାଡ଼ୁରେ ମଧ୍ୟ ଗତ ୭ ଦିନ ମଧ୍ୟରେ ସଂକ୍ରମଣ ମାମଲା ବଢ଼ିଚାଲିଛି। ଦେଶରେ ବିଭିନ୍ନ ରାଜ୍ୟରେ ମୃତ୍ୟୁହାର ଅଚାନକ ବଢ଼ିଯାଇଛି। ଗୁଜରାଟରେ ମୃତ୍ୟୁହାର ସର୍ବାଧିକ ୬.୨ ପ୍ରତିଶତ ଥିବାବେଳେ , ପଶ୍ଚିମବଙ୍ଗରେ ୫.୨ ପ୍ରତିଶତ ରହିଛି। ‌ ଅନ୍ୟପକ୍ଷେ ଦେଶରେ ମୃତ୍ୟୁ ହାର ଏବେ ୨.୮ ପ୍ରତିଶତ ରହିଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ପ୍ରାୟ ୪୮.୨୭ ପ୍ରତିଶତ ‌‌ରୋଗୀ ଆରୋଗ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର