ଚୀନ ସେନାର ଗଣତନ୍ତ୍ର ଆନ୍ଦୋଳନ ଦମନ: ତ୍ୟାନାନ୍‌ମେନ ଛକରେ ୧୦ ହଜାର ମରିଥିଲେ

ଲଣ୍ଡନ: ଚୀନ୍‌ର କମ୍ୟୁନିଷ୍ଟ ସରକାର ଗଣତନ୍ତ୍ରବାଦ ଆନ୍ଦୋଳନକୁ କିପରି ନିଷ୍ଠୁର ଭାବେ ଦମନ କରନ୍ତି, ରାଜଧାନୀ ବେଜିଂର ତ୍ୟାନାନ୍‌ମେନ୍‌ ଛକ ହିଁ ତାହାର ମୂକସାକ୍ଷୀ ହୋଇ ଯୁଗେ ଯୁଗେ ରହିଥିବ। ତେବେ ୧୯୮୯ ମସିହାରେ ଚୀନ୍‌ର ଗଣତନ୍ତ୍ର ସପକ୍ଷବାଦୀମାନେ ଲକ୍ଷାଧିକ ସଂଖ୍ୟାରେ ବେଜିଂରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ତତ୍କାଳୀନ ସରକାର ସେନାବାହିନୀକୁ ଲଗାଇ ୧୦ ହଜାରରୁ ଅଧିକ ସାଧାରଣ ଜନତାଙ୍କୁ ହତ୍ୟା କରିବା ଘଟଣା ଆନ୍ଦୋଳନର ସ୍ୱରକୁ ଚାପିଦେଇଥିଲା। ବ୍ରିଟେନ୍‌ ପକ୍ଷରୁ ସଦ୍ୟ ପ୍ରସାରିତ ଏକ ଗୋପନ କୂଟନୈତିକ ଦସ୍ତାବିଜ୍‌ରେ ସ୍ଥାନୀତ ଏହି ଚାଞ୍ଚଲ୍ୟକର ତଥ୍ୟ ଚୀନ୍‌ ସରକାରଙ୍କ ମୁଖା ଖୋଲିଦେଇଛି। ଘଟଣାର ଅଠେଇଶ ପରେ ମଧ୍ୟ ଚୀନ୍‌ କର୍ତ୍ତୃପକ୍ଷ ସେହି ଆନ୍ଦୋଳନ ଦମନ ସମ୍ପର୍କରେ ମୁହଁ ନଖୋଲିବା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଚାଲିଛି।

୧୯୮୯ ଜୁନ୍‌ ପ୍ରଥମ ସପ୍ତାହରେ ଚୀନ୍‌ ସେନାର ସେହି ନୃଶଂସ ଗଣହତ୍ୟାରେ ଅତି କମ୍‌ରେ ଦଶ ହଜାର ନାଗରିକ ଟଳିପଡ଼ିଥିଲେ ବୋଲି ବେଜିଂରେ ଅବସ୍ଥାପିତ ବ୍ରିଟେନ୍‌ର ତତ୍କାଳୀନ ରାଷ୍ଟ୍ରଦୂତ ଆଲାନ୍‌ ଡୋନାଲ୍ଡ ତୁରନ୍ତ ଟେଲିଗ୍ରାମ ଯୋଗେ ତାଙ୍କ ସରକାରଙ୍କୁ ଅବଗତ କରାଇଥିଲେ ବୋଲି ପ୍ରମାଣ ରହିଛି। ତେବେ ଚୀନ୍‌ ସରକାରଙ୍କ ସେହି ଦମନଲୀଳାରେ ମାତ୍ର ଦୁଇ ଶହ ପାଖାପାଖି ବିଶୃଙ୍ଖଳ ଜନତା ଏବଂ ସମାନ ସଂଖ୍ୟକ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହୋଇଥିଲା ବୋଲି ସରକାରୀ ଭାବେ କୁହାଯାଇଥଲା। ମାତ୍ର ସେହି ଗଣତନ୍ତ୍ରକାମୀ ଆନ୍ଦୋଳନରେ ଘୋଷିତ ସଂଖ୍ୟାର ଢେର୍‌ଗୁଣାରୁ ଯେ ଅଧିକ ନାଗରିକ ପ୍ରାଣବଳି ଦେଇଥିଲେ ତାହା ଏବେ ସପ୍ରମାଣ ସ୍ପଷ୍ଟ ହୋଇଛି। ଦୀର୍ଘ ସାତ ସପ୍ତାହ ଧରି ଚାଲିଥିବା ଆନ୍ଦୋଳନର ମୂଳୋତ୍ପାଟନ ପାଇଁ ଜୁନ୍‌ ୩-୪ର କରାଳ ରାତିରେ ସଂଘଟିତ ସେହି ଲୋମହର୍ଷଣକାରୀ ଦୃଶ୍ୟର ବିବରଣୀକୁ ଡୋଲାଲ୍ଡ ଅତ୍ୟନ୍ତ ସନ୍ତର୍ପଣର ସହ ଜୁନ୍‌ ୫ରେ ବ୍ରିଟେନ୍‌ ସରକାରଙ୍କ ପାଖକୁ ପଠାଇଥିଲେ।

ଆନ୍ଦୋଳନରେ ସଚେତନ ନାଗରିକଙ୍କ ସମେତ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଆନ୍ଦୋଳନରୁ ହଟିଯିବା ପାଇଁ ସେନା ସେମାନଙ୍କୁ ଏକଘଣ୍ଟାର ସମୟ ଦେଇଥିବା ବେଳେ ମାତ୍ର ପାଞ୍ଚ ମିନିଟ୍‌ ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଫଳରେ ଏପରି ବ୍ୟାପକ ଜୀବନହାନି ଘଟିଲା ବୋଲି ଡୋନାଲ୍ଡ ଲେଖିଥିଲେ। ସେହିପରି ସେନାର ଦମନଲୀଳା ମଧ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଜନସମାବେଶ ଉପରେ ଟ୍ୟାଙ୍କ ଚଢ଼ାଇ ଖିନ୍‌ ଭିନ୍‌ କରିଦିଆଯାଇଥିଲା। ପରେ ତ୍ୟାନାନ୍‌ମେନ୍‌ ଛକ ସାରା ଗଦା ହୋଇ ପଡ଼ିଥିବା ଗଳିତ ଶବଗୁଡ଼ିକୁ ବୁଲ୍‌ଡୋଜର ଲଗାଇ ସଫା କରିବା ସହ ଡ୍ରେନ୍‌କୁ ଫିଙ୍ଗିଦିଆଯାଇଥିଲା।

ସମ୍ବନ୍ଧିତ ଖବର