ନୂଆଦିଲ୍ଲୀ: ପାଣ୍ଠି ଯୋଗାଡ଼ କରିବାରେ ସମସ୍ୟା ଓ ଖର୍ଚ୍ଚ କାଟ ଉପରେ ଷ୍ଟାର୍ଟଅପ୍ଗୁଡ଼ିକ ଗୁରୁତ୍ବ ଦେଉଥିବାରୁ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଚଳିତ ବର୍ଷ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ୨୦୨୩ଠାରୁ ୨୦୨୪ର ପ୍ରଥମ ଭାଗ କିନ୍ତୁ ଭଲ ସମୟ ସାବ୍ୟସ୍ତ ହୋଇଛି। ଗତବର୍ଷ ଏହି ସମୟରେ ଷ୍ଟାର୍ଟଅପ୍ ଜଗତରେ ୨୧ ହଜାର କର୍ମଚାରୀଙ୍କୁ ଛଟେଇର ଶିକାର ହେବାକୁ ପଡ଼ିଥିଲା। ପରବର୍ତ୍ତୀ ଛଅ ମାସରେ ଆଉ ୧୫ ହଜାର କର୍ମଚାରୀ ଚାକିରି ହରାଇଥିଲେ ବୋଲି ଲଙ୍ଗହାଉସ୍ କନ୍ସଲ୍ଟିଂ ତଥ୍ୟରୁ ଜଣାପଡ଼ିଛି। ଗତ ଛଅ ମାସରେ ସ୍ବିଗି, ଓଲା, କଲ୍ଟଫିଟ୍, ଲିସିଅସ୍, ପ୍ରିଷ୍ଟିନ୍କେୟାର ଓ ବାଇଜୁସ୍ ପକ୍ଷରୁ ଛଟେଇ କରାଯାଇଛି। ଫ୍ଲିପ୍କାର୍ଟ ଓ ପେଟିଏମ୍ ପକ୍ଷରୁ ମଧ୍ୟ କର୍ମଚାରୀ ସଂଖ୍ୟା ହ୍ରାସ କରାଯାଇଛି। ଫ୍ଲିପ୍କାର୍ଟ ଏହାର କର୍ମଚାରୀ ସଂଖ୍ୟାରେ ୫-୭ ପ୍ରତିଶତ ହ୍ରାସ କରିବାକୁ ଯୋଜନା ରଖିଛି। ଏହା ଦ୍ବାରା କମ୍ପାନିର ପ୍ରାୟ ୧୫୦୦ କର୍ମଚାରୀ ପ୍ରଭାବିତ ହେବେ।
ସେହିପରି ପେଟିଏମ୍ ମଧ୍ୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ସ୍ବିଗିରେ ୪୦୦, ଓଲା ଇଲେକ୍ଟ୍ରିକ୍ରେ ୬୦୦ରୁ ଅଧିକ ଓ ଓଲା କ୍ୟାବ୍ସରେ ୨୦୦ କର୍ମଚାରୀ ଛଟେଇ କରାଯାଇଛି।
ଚଳିତ ବର୍ଷ ଷ୍ଟାର୍ଟଅପ୍ ଜଗତରେ ହୋଇଥିବା ଛଟେଇର ଏକ ଭିନ୍ନ ଧାରା ଦେଖିବାକୁ ମିଳିଛି। ଏଥର ହୋଇଥିବା ଛଟେଇ ବିଷୟରେ କମ୍ପାନିଗୁଡ଼ିକ ଖୋଲାଖୋଲି ଭାବେ କିଛି ଘୋଷଣା କରିନାହାନ୍ତି। ପ୍ରଦର୍ଶନ ଆଶାନୁରୂପ ନଥିବା ବାହାନା କରି ଅଧିକାଂଶ କର୍ମଚାରୀଙ୍କୁ ବିଦା କରାଯାଇଛି। ଚଳିତ ବର୍ଷ ଏଭଳି ଭାବେ ୨୦ ପ୍ରତିଶତ ଛଟେଇ ହୋଇଛି। ଲଙ୍ଗହାଉସ୍ କନସଲ୍ଟିଂ ଆଣ୍ଡ କ୍ୟାରିୟରନେଟ୍ର ସିଇଓ ଅଂଶୁମାନ ଦାସ କହିଛନ୍ତି ଯେ ଷ୍ଟାର୍ଟଅପ୍ଗୁଡ଼ିକ ଉଚ୍ଚ ବେତନଭୋଗୀ କର୍ମଚାରୀଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ଅଳ୍ପ ଦରମା ଏବଂ କମ୍ ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଦର୍ଶନ ଆଧାରରେ କର୍ମଚାରୀଙ୍କ କାର୍ଯ୍ୟର ଅନୁଶୀଳନ କରି କମ୍ପାନିଗୁଡ଼ିକ ଭଲ କର୍ମଚାରୀଙ୍କୁ ବୋନସ୍ ଓ ବେତନ ବୃଦ୍ଧି ଭଳି ଆଶା ଦେବାରେ ସଫଳ ହୋଇଛନ୍ତି। ଏହା ଫଳରେ କର୍ମଚାରୀଙ୍କ ଭିତରେ ଚାକିରିର ଭବିଷ୍ୟତକୁ ନେଇ ରହୁଥିବା ଚିନ୍ତା କମ୍ ହୋଇଛି। ଚଳିତ ବର୍ଷର ଶେଷ ଛଅ ମାସରେ ଷ୍ଟାର୍ଟଅପ୍ଗୁଡ଼ିକରେ ଆଉ ୫୦୦୦ ଛଟେଇ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/start-up.jpg)