ନୂଆଦିଲ୍ଲୀ: ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ପ୍ରସ୍ତୁତ କରିଥିବା କୋଭିଡ୍‌-ନିରୋଧୀ ଖାଇବା ଔଷଧ ‘ଟୁ-ଡିଜି’କୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉନ୍ମୋଚନ କରିବା ସହ ଦିଲ୍ଲୀର କେତେକ ଡାକ୍ତରଖାନାକୁ ପ୍ରାୟ ୧୦,୦୦୦ ଡୋଜ୍‌ ବଣ୍ଟନ କରିବେ। ତାଙ୍କ ସହିତ ଥିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

Advertisment

‘୨-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧକୁ ହାଇଦ୍ରାବାଦର ପ୍ରଖ୍ୟାତ ଔଷଧ ନିର୍ମାତା ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ସହଯୋଗରେ ‘ଡିଆର୍‌ଡିଓ’ ଲ୍ୟାବ୍‌ ପ୍ରସ୍ତୁତ କରିଛି।

ସାମାନ୍ୟରୁ ସାଙ୍ଘାତିକ କୋଭିଡ୍‌-୧୯ ସଂକ୍ରମଣ ଚିକିତ୍ସା ନିମନ୍ତେ ଜରୁରୀକାଳୀନ ଭାବେ ଏହି ଔଷଧ ବ୍ୟବହାର କରିବା ପାଇଁ ମେ ୮ ତାରିଖ ଦିନ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ଅନୁମତି ଦେଇଥିଲେ।

publive-image Image Courtesy of India Today

ଗତବର୍ଷ ମେ ରୁ ଅକ୍ଟୋବର ମଧ୍ୟରେ ଉପରୋକ୍ତ ଔଷଧକୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଖୁଆଇବା ପରେ ତାହା ଫଳପ୍ରଦ ହେଉଥିବା ଜଣାପଡ଼ିଥିଲା। ବିଶେଷକରି ଏହି ଔଷଧ ଆକ୍ରାନ୍ତମାନଙ୍କର ଡାକ୍ତରଖାନା ରହଣି ସମୟ ଓ ଅକ୍ସିଜେନ୍‌ ନିର୍ଭରଶୀଳତା ହ୍ରାସ କରୁଛି।

ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ଏହି ଔଷଧରେ ଥିବା ଏକ ପ୍ରକାରର ‘କୃତ୍ରିମ ଗ୍ଲୁକୋଜ୍ ମଲିକ୍ୟୁଲ୍‌’ ଶରୀର ମଧ୍ୟରେ ଭାଇରସ୍‌ର ଗତିରୋଧ କରୁଛି। ଚୂର୍ଣ୍ଣ ରୂପରେ ଆସୁଥିବା ଏହି ଔଷଧକୁ ପାଣି ସହ ପିଇ ହେବ।