ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ କରନ୍ତୁ ନାହିଁ । ଆମକୁ ପୂର୍ବ ପରି ସତର୍କ ରହିବାକୁ ପଡ଼ିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ କରାଇଦିଆଯାଇଛି । ଦେଶରେ ଏବେ ୧୧ଟି ରାଜ୍ୟରେ ମୋଟ ୧୦୧ଟି ଓମିକ୍ରନ ମାମଲା ଦେଖାଦେଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ଆମ ଦେଶରେ ଗତ ୨୦ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହୁଛି । କିନ୍ତୁ ଏହାକୁ ଦେଖି ଲୋକମାନେ ବିପଦ ଚାଲିଗଲା ବୋଲି ଭାବିବା ଉଚିତ ନୁହେଁ । ବିଶ୍ବର ପରିସ୍ଥିତିକୁ ଦେଖି ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ହେବ । କେବଳ ଟୀକା ନେବା ଯଥେଷ୍ଟ ନୁହେଁ, ଆମକୁ ପୂର୍ବପରି ମାସ୍କ ପିନ୍ଧିବାକୁ ହେବ, ହାତଧୋଇବାକୁ ହେବ ଓ ସାମାଜିକ ଦୂରତ୍ବ ପାଳନ କରିବାକୁ ପଡ଼ିବ ।
ଏହି ଅବସରରେ ନିତି ଆୟୋଗ ସଦସ୍ୟ ( ସ୍ବାସ୍ଥ୍ୟ) ଡ.ଭି.କେ.ପାଲ କହିଛନ୍ତି ଯେ ୟୁରୋପ, ଆଫ୍ରିକାରେ ଏବେ ପରିସ୍ଥିତି ଅତ୍ୟନ୍ତ ଖରାପ ଆଡ଼କୁ ଗତି କରୁଛି । କେବଳ ବ୍ରିଟେନରେ ଦିନକୁ ୧୪-୧୫ ଲକ୍ଷ ନୂଆ ସଂକ୍ରମଣ ଦେଖାଦେଉଛି । ଫ୍ରାନ୍ସ, ଜର୍ମାନୀରେ ବି ପରିସ୍ଥିତି ଖରାପ ହେଉଛି । ଏସବୁ ଦେଶରେ ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇସାରିଲାଣି । ଏହା ସତ୍ତ୍ବେ ସଂକ୍ରମଣ ବଢିବା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଏଣୁ ଆମକୁ ସତର୍କ ରହିବାକୁ ହେବ । ଜରୁରୀ ନଥିଲେ ଯାତ୍ରା କରନ୍ତୁ ନାହିଁ, ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ ଓ ମାସ୍କ ପିନ୍ଧନ୍ତୁ ବୋଲି ସେ କହିଛନ୍ତି ।