୧୦୧ ବର୍ଷୀୟ ନାଜି ସୈନିକଙ୍କୁ ୫ ବର୍ଷ ଜେଲ୍

ବର୍ଲିନ : ଜର୍ମାନିର ଏକ କୋର୍ଟ ୧୦୧ ବର୍ଷୀୟ ବୃଦ୍ଧ ଯେଶୋଫ ସ୍କୁଏଜଙ୍କୁ ୫ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଇହୁଦୀମାନଙ୍କ ଗଣହତ୍ୟା ହୋଇଥିବା ହିଟଲରଙ୍କ ନାଜି କନସେଣ୍ଟ୍ରେସନ କ୍ୟାମ୍ପରେ ସେ ଜଣେ ସୁରକ୍ଷାକର୍ମୀ ଥିଲେ । ଇତିହାସର ଏହି କୁଖ୍ୟାତ ଯୁଦ୍ଧଅପରାଧରେ ଦଣ୍ଡ ପାଇବାରେ ସେ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି ।

ନାଜି କନସେଣ୍ଟ୍ରେସନ କ୍ୟାମ୍ପରେ ହୋଇଥିବା ଗଣହତ୍ୟା ପାଇଁ କୋର୍ଟ ତାଙ୍କୁ ଜଣେ ଦୋଷୀ ମାନିଛନ୍ତି । କ୍ୟାମ୍ପରେ ଗଣହତ୍ୟା ଚାଲିଥିବା ସେ ଜାଣିଥିଲେ ଓ ସେଥିରେ ସହାୟତା କରିଥିଲେ ବୋଲି କୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି ।

ଅନ୍ୟପକ୍ଷରେ ଯୋଶେଫ ନିଜକୁ ନିର୍ଦ୍ଦୋଷ ବୋଲି କୋର୍ଟରେ କହିଥିଲେ । ସେ କେବଳ ନାଜି କ୍ୟାମ୍ପରେ ଜଣେ ସୁରକ୍ଷାକର୍ମୀ ବା ଗାର୍ଡ ଥିଲେ । କ୍ୟାମ୍ପ ଭିତରେ କଣ ହେଉଛି ସେ ସମ୍ପର୍କରେ ସେ କିଛି ଜାଣିନଥିଲେ । ତେବେ ତାଙ୍କର ଏହି ଯୁକ୍ତିକୁ କୋର୍ଟ ମାନିନଥିଲେ ।

୧୯୪୨ରୁ ୧୯୪୫ ମଧ୍ୟରେ ଉତ୍ତର ବର୍ଲିନର ଓରାନିଏନବର୍ଗଠାରେ ଥିବା ସାସେନହାସନ କ୍ୟାମ୍ପରେ ଇହୁଦୀମାନଙ୍କୁ ବନ୍ଦୀ କରି ଅକଥନୀୟ ନିର୍ଯ୍ୟାତନା ଦିଆଯିବା ପରେ ହତ୍ୟା କରାଯାଇଥିଲା । ଏହି କ୍ୟାମ୍ପରେ ପ୍ରାୟ ୩୫୧୮ ଲୋକଙ୍କୁ ହତ୍ୟା କରାଯାଇଥିଲା ।

ତେବେ ୧୯୩୬ରୁ ୧୯୪୫ ମଧ୍ୟରେ ଏହି କ୍ୟାମ୍ପରେ ପ୍ରାୟ ୨ ଲକ୍ଷ ଇହୁଦୀ, ହିଟଲର ବିରୋଧୀ ଓ ସମଲିଙ୍ଗୀମାନଙ୍କୁ  ବନ୍ଦୀ କରି ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିଲା । ଏହି ବର୍ଷମଧ୍ୟରେ କ୍ୟାମ୍ପରେ ଥିବା ହଜାର ହଜାର ବନ୍ଦୀମାନଙ୍କୁ ଗ୍ୟାସ ଚାମ୍ବରରେ ଭର୍ତ୍ତି କରି ଅଥବା ଗୁଳି କରି ହତ୍ୟା କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର