ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣ କଲା ଇରାନ୍ ! ୧୪୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ

ଦୁବାଇ : ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା ଇରାନ ଦାବି କରିଛି , ଯାହାକି ଶବ୍ଦର ବେଗଠାରୁ ୧୫ ଗୁଣ ବେଗରେ ଗତି କରିପାରିବ । ଇରାନ ଏଭଳି ଏକ ସମୟରେ ଘୋଷଣା କରିଛି ଯେତେବେଳେ ଆମେରିକା ସହ ତାହାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି ।  ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଇରାନ ଉପରେ କଟକଣା ଜାରି କରିଛି ।

ଇରାନର ସରକାରୀ ଟେଲିଭିଜନ୍ ଏକ ରିପୋର୍ଟରେ କହିଛି ଯେ ‘ଫତାହ’ ନାମକ ଏହି କ୍ଷେପଣାସ୍ତ୍ର ୧୪୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିଛି । ତେବେ ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣ ନେଇ କୌଣସି ପ୍ରାମାଣ ପ୍ରଦାନ କରିନି ଇରାନ ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି କ୍ଷେପଣାସ୍ତ୍ର ଯେକୌଣସି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିବାକୁ ସକ୍ଷମ । ଏହି ଦାବିକୁ ମଧ୍ୟ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ। ଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଇରାନର ରିଭୋଲ୍ୟୁସନରୀ ଗାର୍ଡ ପକ୍ଷରୁ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସାମ୍ନାରେ କ୍ଷେପଣାସ୍ତ୍ରର ଏକ ମଡେଲ ଉନ୍ମୋଚନ କରାଯାଉଛି  ।

ଇରାନ ପାଖରେ ବିପୁଳ ପରିମାଣରେ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ମହଜୁଦ ରହିଛି। ଗତ ନଭେମ୍ବରମାସରେ ରିଭୋଲ୍ୟୁସନରୀ ଗାର୍ଡ ଜେନେରାଲ ଅମୀର ଅଲ୍ଲୀ ହାଜିଜାଦେ ଦାବି କରିଥିଲେ ଯେ ଇରାନ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର ବିକଶିତ କରିଛି ।

ସୂଚନାଯୋଗ୍ୟ ଯେ ହାଇପରସୋନିକ୍ କ୍ଷେପଣାସ୍ତ୍ର ଟେକନୋଲୋଜୀ ବିଶ୍ବର ଅଳ୍ପ କିଛି ଦେଶଙ୍କ ପାଖରେ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ରୁଷ, ଆମେରିକା ଓ ଚୀନ । ଭାରତ ମଧ୍ୟ ଏହି ଟେକନଲୋଜୀ ଉପରେ କାମ କରୁଛି ।

 

ସମ୍ବନ୍ଧିତ ଖବର