କିବ୍ : ୟୁକ୍ରେନ୍ ରାଜଧାନୀ କିବ୍ରୁ ରୁଷ୍ ସୈନ୍ୟ ପ୍ରତ୍ୟାହାର କରିବା ପରେ ୧ ହଜାରରୁ ଅଧିକ ଶବ ମିଳିଛି। ସମଗ୍ର କିବ୍ ଅଞ୍ଚଳରୁ ୧,୦୨୦ ସାଧାରଣ ନାଗରିକଙ୍କ ଶବ ଉଦ୍ଧାର ହୋଇଛି। ବିଭିନ୍ନ କୋଠା ଏବଂ ରାସ୍ତା ଉପରୁ ଲୋକଙ୍କ ମୃତଦେହ ମିଳିଛି। କିବ୍ର ରିଜିଓନାଲ୍ ଗଭର୍ଣ୍ଣର୍ ଓକେଲସାଣ୍ଡର ପବିଲୁକ୍ କହିଛନ୍ତି, ସେମାନଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି। ଅନ୍ୟପକ୍ଷେ କିବ୍ ପୁଲିସ ମୁଖ୍ୟ ଆଜି କହିଛନ୍ତି, କିବ୍ ଉପକଣ୍ଠ ବୋରଡିଆଙ୍କାରୁ ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁକ୍ରେନ୍ ରାଜଧାନୀ କିବ୍ ଉପକଣ୍ଠ ଅଞ୍ଚଳ ବୋରଡିଆଙ୍କାରେ ୯ ମୃତଦେହ ମିଳିଛି। ଏମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି। କିବ୍ ପୁଲିସ ମୁଖ୍ୟ କହିଛନ୍ତି, ରୁଷ୍ ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ଗୁଳିବର୍ଷା କରୁଛି। ବୋରଡିଆଙ୍କାରେ ୨ଟି କବର ଠାବ ହୋଇଛି। ଗୋଟିଏ କବରରୁ ୩ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଏକ କବରରୁ ୬ ଜଣଙ୍କ ମୃତଦେହ ମିଳିଥିବା ସେ କହିଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ୍ର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ଭୟଙ୍କର ଗୋଳାବର୍ଷା ହେଉଛି। ଗତକାଲି ରାତିସାରା ଏବଂ ଆଜି ସକାଳେ ମଧ୍ୟ ରୁଷ୍ ଏହି ସହରରେ ଜୋରଦାର ଗୋଳାବର୍ଷା କରୁଛି। ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି ବୋଲି ଖାରକିଭ ମେୟର ଇହୋର ତେରେକୋଭ କହିଛନ୍ତି। ଗତକାଲି ରାତିରେ ଗୋଳାବର୍ଷା କରି ରୁଷ୍ ସେନା ୨ଟି ବଜାର ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି। ଖାରକିଭରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଲୋକଙ୍କୁ ଖାଲି କରାଯାଇଛି। ମୁଖ୍ୟତଃ ମହିଳା, ଶିଶୁ ଏବଂ ବୟସ୍କଙ୍କୁ ପ୍ରଥମେ ଉଦ୍ଧାର କରାଯାଉଛି ବୋଲି ଖାରକିଭ ମେୟର କହିଛନ୍ତି। ଅନ୍ୟପକ୍ଷେ ଲୁହାନସ୍କରେ ୮୦ ପ୍ରତିଶତ ଅଞ୍ଚଳକୁ ରୁଷ୍ ନିଜ ନିୟନ୍ତ୍ରଣକୁ ନେଇ ସାରିଛି।
ଖାରକିଭରେ ପ୍ରବଳ ଗୋଳାବର୍ଷା: କିବ୍ରୁ ୧,୦୨୦ ଶବ ଉଦ୍ଧାର
ଉପକଣ୍ଠରେ ୯ ମୃତଦେହ, ଲୁହାନସ୍କର ୮୦% ଅଞ୍ଚଳ ରୁଷ୍ ନିୟନ୍ତ୍ରଣରେ
/sambad/media/post_attachments/wp-content/uploads/2022/04/646g54jg6d54jg65jgjdgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)