ଟ୍ରିପ୍ ଆଡଭାଇଜର୍ ସମେତ ୧୦୫ ଆପ୍ ଉପରେ ନିଷେଧାଦେଶ ଜାରି କଲା ଚୀନ୍

ବେଜିଂ: ଭାରତ ପରେ ଏବେ ପଡୋଶୀ ଚୀନ୍ ମଧ୍ୟ ଡ଼ିଜିଟାଲ ଷ୍ଟ୍ରାଇକ୍ କରି ନେଇଛି ପ୍ରତିଶୋଧ । ଆମେରିକା ସମେତ ଦୁନିଆର ବଡ଼ ବଡ଼ ଦେଶର ପ୍ରସିଦ୍ଧ ଆପ୍ ଉପରେ କଟକଣା ଲଗାଇଛି ଚୀନ୍ । ପ୍ରାୟ ୧୦୫ଟି ଆପ୍ ଉପରେ ନିଷେଧାଦେଶ ଜାରି କରିଛି ଚୀନ୍ । ଏହି ଆପଗୁଡ଼ିକୁ ତୁରନ୍ତ ଆପ୍ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ ନିଜ ଦେଶର ଆପ୍ ଷ୍ଟୋରରୁ ଆମେରିକା ଟ୍ରାଭେଲ ଏଜେଂଟ ଟ୍ରିପ୍ ଆଡ଼ଭାଇଜର ଆପ୍ ସମେତ ୧୦୫ଟି ଆପ୍ ହଟାଇ ଦେଇଛି । ଏହି ଆପଗୁଡ଼ିକରେ ଅଶ୍ଳୀଳତା, ଗଣଦୁଷ୍କର୍ମ, ଜୁଆ ଖେଳ ଏବଂ ହିଂସା ଭଳି ବିଷୟବସ୍ତୁ ବିସ୍ତାର କରୁଥିବା ଅଭିଯୋଗ କରିଛି ଚୀନ ।

ଏହି ସବୁ ଆପ୍ ଚୀନର ଏକରୁ ଅଧିକ ସାଇବର ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ବିବୃତି ଜାରି କରିଛି ଚୀନ ସାଇବର ସ୍ପେସ୍ ପ୍ରଶାସନ । ଚଳିତ ବର୍ଷ ଭାରତ ଚୀନ ସୀମା ବିବାଦ ପରେ ଟିକଟକ୍, ପବଜି ଆଦି ୨୨୦ଟି ଚାଇନା ମୋବାଇଲ ଆପ୍ ଉପରେ ଭାରତରେ କଟକଣା ଲଗାଯାଇଛି। ଜୁନ୍ ୨୦୨୦ରେ ଭାରତ ଟିକଟକ୍ ସମେତ ୫୯ଟି ମୋବାଇଲ ଆପ୍ଲିକେସନ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ପରେ ସେପ୍ଟେମ୍ବର ୨ରେ ୧୧୦ଟି ଅନ୍ୟ ଆପ୍ ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ଏଥିମଧ୍ୟରୁ ଅଧିକାଂଶ ଚୀନ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା ।

ସମ୍ବନ୍ଧିତ ଖବର