ବନ୍ୟା ଜଳରେ ଫସିଲା ଟ୍ରେନ୍‌, ୧୦୫୦ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ମୁମ୍ବାଇ/ପୁନେ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ନିକଟରେ ବନ୍ୟା ଜଳରେ ଫସିଥିବା କୋହ୍ଲାପୁର-ମୁମ୍ବାଇ ମହଲକ୍ଷ୍ମୀ ଏକ୍ସପ୍ରେସ୍‌ର ସମସ୍ତ ୧୦୫୦ ଯାତ୍ରୀଙ୍କୁ ଆଜି ସୁରକ୍ଷିତ ଉଦ୍ଧାର କରାଯାଇଛି। ଟ୍ରେନ୍‌ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ନୌସେନା, ବାୟୁସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ସ୍ଥାନୀୟ ପ୍ରଶାସନର ଟିମ୍‌ ନିୟୋଜିତ ହୋଇଥିଲେ। ବାୟୁସେନାର ୨ଟି ହେଲିକପ୍‌ଟର ମଧ୍ୟ ଏଥିରେ ସାମିଲ ଥିଲା। ଉଦ୍ଧାର ପରେ ସମସ୍ତ ଯାତ୍ରୀଙ୍କୁ ବଦଲାପୁର ଷ୍ଟେସନରେ ପହଞ୍ଚାଇ ଦିଆଯାଇଛି। ସେଣ୍ଟ୍ରାଲ ରେଲ୍‌ୱେ ପକ୍ଷରୁ କୁହାଯାଇଛି ଯେ ୧୯ଟି କୋଚ୍‌ ବିଶିଷ୍ଟ ଏକ ସ୍ବତନ୍ତ୍ର ଟ୍ରେନ୍‌ ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ର ଯାତ୍ରୀଙ୍କୁ ନେଇ କଲ୍ୟାଣରୁ କୋହ୍ଲାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏନ୍‌ଡିଆର୍‌ଏଫ୍‌ ଡିଜି ଏସ୍‌ଏନ୍‌ ପ୍ରଧାନ କହିଛନ୍ତି, ୮ ଘଣ୍ଟାର ଅପରେସନରେ ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହୋଇଛି। ପ୍ରଥମେ ୯ ଜଣ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ବାହାର କରାଯାଇଥିଲା । ଏହାପରେ ବରିଷ୍ଠ ନାଗରିକ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବା ବ୍ୟବସ୍ଥା ହୋଇଥିଲା।

ବିମାନ ଯାତ୍ରା ପ୍ରଭାବିତ
ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ଏୟାରପୋର୍ଟର ଜନସଂପର୍କ ଅଧିକାରୀ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ୨୪ଟି ବିମାନର ଉଡ଼ାଣ ପ୍ରଭାବିତ ହୋଇଛି। ୭ଟି ବିମାନର ଉଡ଼ାଣ ରଦ୍ଦ ହୋଇଥିବା ବେଳେ ଅନ୍ୟ ବିମାନଗୁଡ଼ିକର ଗତିପଥ ବଦଳାଇ ଦିଆଯାଇଛି।

ସମ୍ବନ୍ଧିତ ଖବର