ନୂଆଦିଲ୍ଲୀ: ୟେମେନ୍ ସମେତ ୧୧ଟି ଦେଶରେ ୪୩ ଜଣ ଭାରତୀୟ ନାଗରିକ ମୃତ୍ୟୁଦଣ୍ଡ ଅପେକ୍ଷାରେ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଲୋକସଭାରେ ସୂଚନା ଦେଇଛି। ଏହାବ୍ୟତୀତ ୭୦ରୁ ଅଧିକ ଦେଶର ଜେଲରେ ୧୦,୫୭୪ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ଏହି କଏଦୀଙ୍କ ମଧ୍ୟରେ ବିଚାରାଧୀନ କଏଦୀ, ଦୋଷୀ ଓ ଦଣ୍ଡାଦେଶ ସରିବା ସତ୍ତ୍ୱେ ମୁକ୍ତି କିମ୍ବା ପ୍ରତ୍ୟର୍ପଣ ଅପେକ୍ଷାରେ ଥିବା ବ୍ୟକ୍ତିମାନେ ଅଛନ୍ତି। ୧୪ଟି ଦେଶର ଜେଲରେ ୧୦୦ରୁ ଅଧିକ ଭାରତୀୟ ଅଛନ୍ତି। ତେବେ ଅନେକ ଦେଶରେ କଠୋର ଗୋପନୀୟତା ଆଇନ କଏଦୀଙ୍କ ବିନା ସମ୍ମତିରେ କଏଦୀଙ୍କ ବିବରଣୀ ବାଣ୍ଟିବାରେ ପ୍ରତିବନ୍ଧକ ଲଗାଇଥିବାରୁ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

Advertisment

୧୧ ଦେଶରେ ୪୩ ଜଣ ମୃତ୍ୟୁଦଣ୍ଡ ଅପେକ୍ଷାରେ
ଉପସାଗରୀୟ ଅଞ୍ଚଳରେ ଗତ ୯ ବର୍ଷରେ କଏଦୀଙ୍କ ସଂଖ୍ୟା ୩,୪୦୫କୁ ବୃଦ୍ଧି

ବିଦେଶରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪୩ ଜଣ ଭାରତୀୟଙ୍କ ମଧ୍ୟରୁ ସର୍ବାଧିକ ୨୧ ଜଣ ସଂଯୁକ୍ତ ଆରବ ଏମିରେଟ୍ସରେ ଅଛନ୍ତି। ସାଉଦି ଆରବରେ ୭ଟି ମାମଲା ଥିବା ବେଳେ ଚୀନ୍‌ରେ ୪ଟି, ଇଣ୍ଡୋନେସିଆରେ ୩ଟି, ୟେମେନରେ ୧ଟି ଏବଂ ବାକି ଅନ୍ୟ ଦେଶରେ ରହିଛି। ଜୁଲାଇ ୧୫, ୨୦୨୫ ସୁଦ୍ଧା ୨୮ ଜଣ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କାରେ ବନ୍ଦୀ ଅଛନ୍ତି। ନିକଟରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସରକାର କହିଛନ୍ତି ଯେ ଭାରତୀୟ ଦୂତାବାସଗୁଡିକ ଅନେକ ଦେଶ ସହିତ ସ୍ଥାନାନ୍ତର ଚୁକ୍ତି ଅଧୀନରେ ଆଇନଗତ ସହାୟତା ଓ ଦୂତାବାସ ଆକ୍‌ସେସ୍ ଯୋଗାଇବା ସହ କଏଦୀଙ୍କ ମୁକ୍ତି ଦିଗରେ କାର୍ଯ୍ୟ କରୁଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ବିଦେଶୀ ଜେଲରେ ଥିବା ଭାରତୀୟଙ୍କ ସଂଖ୍ୟା ୬୩% ବୃଦ୍ଧି ପାଇଛି। ୨୦୧୬ରେ ୬,୪୮୯ ଜଣ ଭାରତୀୟ ବିଦେଶରେ ବନ୍ଦୀ ହୋଇଥିଲେ। ୨୦୨୫ ଅଗଷ୍ଟ ସୁଦ୍ଧା ଏହି ସଂଖ୍ୟା ୧୦,୫୭୪ରେ ପହଞ୍ଚିଥିଲା। ଉପସାଗରୀୟ ଅଞ୍ଚଳରେ ସର୍ବାଧିକ ବନ୍ଦୀ ଅଛନ୍ତି। ୨୦୧୬ରେ ସାଉଦି ଆରବରେ ୧୬୫୩, ୟୁଏଇରେ ୮୩୮, କୁଏତରେ ୪୫୯, କତାରରେ ୧୩୯, ଓମାନରେ ୧୦୯ ଓ ବାହାରେନରେ ୬୮ ଜଣ ଭାରତୀୟଙ୍କ ସମେତ ୩୨୬୬ ଜଣ ଭାରତୀୟ ଉପସାଗରୀୟ ଜେଲରେ ଥିଲେ। ୨୦୨୫ ବେଳକୁ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୬,୬୭୧ରେ ପହଞ୍ଚିଛି।