ଲାଗୁ ହେଲା କେନ୍ଦ୍ରର ୧୦୬ ଆଇନ, ପୃଥକ ସମ୍ବିଧାନ ବ୍ୟବସ୍ଥା ହଟିଲା

ଶ୍ରୀନଗର : ଦେଶରେ ପ୍ରଥମ ଥର ପାଇଁ ଏକ ରାଜ୍ୟ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ରାଜ୍ୟ ପୁନର୍ଗଠନ ସହିତ ଜମ୍ମୁ କଶ୍ମୀରରେ ଆଜିଠାରୁ ଅନେକ ନୂଆ ପରିବର୍ତ୍ତନ ଆସିଛି। ଏଠାରେ କେନ୍ଦ୍ର ସରକାରଙ୍କ ୧୦୬ଟି ଆଇନ ଲାଗୁ ହୋଇଛି । ଜମ୍ମୁ କଶ୍ମୀରରେ ଆଜିଠାରୁ ହୋଇଥିବା କେତେକ ପ୍ରମୁଖ ପରିବର୍ତ୍ତନ-

ଜଣେ ରାଜ୍ୟପାଳଙ୍କ ବଦଳରେ ଦୁଇ ଜଣ ଉପରାଜ୍ୟପାଳ
ପୂର୍ବରୁ ଜମ୍ମୁ କଶ୍ମୀର ରାଜ୍ୟରେ କେବଳ ଜଣେ ରାଜ୍ୟପାଳ ଥିଲେ। କିନ୍ତୁ ଏବେ ଜମ୍ମୁ କଶ୍ମୀର ପୁନର୍ଗଠନ ପରେ ଏହା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ତେଣୁ ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ ପୃଥକ୍‌ ଭାବେ ୨ ଜଣ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

ସମଗ୍ର ଦେଶ ପାଇଁ ଗୋଟିଏ ସମ୍ବିଧାନ ବ୍ୟବସ୍ଥା
ପୂର୍ବରୁ ଦେଶରେ ଏକମାତ୍ର ରାଜ୍ୟ ଭାବେ ଧାରା ୩୭୦ରେ ଥିବା ବ୍ୟବସ୍ଥା ଆଧାରରେ ଜମ୍ମୁ କଶ୍ମୀର ପାଇଁ ପୃଥକ ସମ୍ବିଧାନ ଥିଲା। ଏହି ଅସ୍ଥାୟୀ ବ୍ୟବସ୍ଥା ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲା। ସରକାର ଧାରା ୩୭୦ ଉଚ୍ଛେଦ କରିବାପରେ ଜମ୍ମୁ କଶ୍ମୀର ପାଇଁ ପୃଥକ ସମ୍ବିଧାନ ଆଉ ରହିନାହିଁ। ସାରା ଦେଶ ପାଇଁ ଏବେ ଗୋଟିଏ ସମ୍ବିଧାନ ଲାଗୁ ହୋଇଛି।

ଆଇନ ଶୃ୍ଙ୍ଖଳା କେନ୍ଦ୍ର ଅଧୀନରେ ରହିବ
ପୂର୍ବରୁ ଆଇନ ଶୃଙ୍ଖଳା ରାଜ୍ୟ ସରକାରଙ୍କ ଅଧୀନରେ ଥିଲା। କିନ୍ତୁ ଆଜିଠାରୁ ଜମ୍ମୁ କଶ୍ମୀରରେ ଆଇନ ଶୃଙ୍ଖଳା ସିଧାସଳଖ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା ଏବଂ ଏସିବି (ଦୁର୍ନୀତି ନିରୋଧ ବ୍ୟୁରୋ) ‌ସେବା ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସରକାର ଅଧୀନରେ ନରହି ଉପରାଜ୍ୟପାଳଙ୍କ ଅଧୀନରେ ରହିବ। ଜମ୍ମୁ କଶ୍ମୀରରେ ଆତଙ୍କବାଦ ନିୟନ୍ତ୍ରଣ କରିବା କ୍ଷେତ୍ରରେ ପୂର୍ବରୁ ଯେଉଁ ପ୍ରତିବନ୍ଧକ ରାଜ୍ୟ ସରକାରଙ୍କ ଆଡ଼ୁ ରହିଥିଲା ଏବେ ତାହା ଆଉ ରହିବ ନାହିଁ।

ସମ୍ପତ୍ତି କିଣିବାର ଅଧିକାର
ପୂର୍ବରୁ ଧାରା ୩୫-ଏ ବଳରେ ଜମ୍ମୁ କଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ କିଛି ସ୍ବତନ୍ତ୍ର ଅଧିକାର ଏବଂ ସୁବିଧା ସୁଯୋଗ ମିଳିଥିଲା। ଏହି ଧାରା ବଳରେ ଜମ୍ମୁ କଶ୍ମୀର ବାହାରୁ ଅନ୍ୟ କୌଣସି ବ୍ୟକ୍ତି ଜମ୍ମୁ କଶ୍ମୀରରେ ସମ୍ପତ୍ତି କିଣାବିକା କରିପାରୁନଥିଲେ। କିନ୍ତୁ ଧାରା ୩୭୦ ଉଚ୍ଛେଦ ହେବାପରେ ଜମ୍ମୁ କଶ୍ମୀର ବାହାରୁ ଲୋକମାନେ ଏବେ ଜମ୍ମୁ କଶ୍ମୀରରେ ସମ୍ପତ୍ତି କିଣିପାରିବେ।

କେନ୍ଦ୍ରୀୟ ଆଇନ
ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରେ କୌଣସି ଆଇନ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଧାନସଭାର ଅନୁମତି ନେବାକୁ ପଡ଼ୁଥିଲା । କିନ୍ତୁ ଏବେ ସିଧାସଳଖ ସମସ୍ତ କେନ୍ଦ୍ରୀୟ ଆଇନ ଜମ୍ମୁ କଶ୍ମୀରରେ ଲାଗୁ ହୋଇପାରିବ।

ସମ୍ବନ୍ଧିତ ଖବର