ମୁକୁଲ ରାୟଙ୍କ ଦାବି, ୧୦୭ ବିରୋଧୀ ବିଧାୟକ ବିଜେପିରେ ସାମିଲ ହେବେ

କୋଲକାତା: କର୍ଣ୍ଣାଟକ ଏବଂ ଗୋଆ ପରେ ଏବେ ପଶ୍ଚିମବଂଗରେ କୌଣସି ବଡ଼ ଧରଣର ରାଜନୈତିକ ହଟଚମଟ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ସଫଳତା ପରେ ଟିଏମ୍‌ସିର କେତେକ ବିଧାୟକ ଏବଂ କାଉନ୍‌ସିଲର ବିଜେପିରେ ଯୋଗଦେବା ପ୍ରକ୍ରିୟ ଆରମ୍ଭ ହୋଇଯାଇଛି। ଆଜି ଦଳର ବରିଷ୍ଠ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଖୁବ୍‌ଶୀଘ୍ର କଂଗ୍ରେସ, ଟିଏମ୍‌ସି ଏବଂ ସିପିଏମ୍‌ର ୧୦୭ ଜଣ ବିଧାୟକ ବିଜେପିରେ ସାମିଲ ହେବେ। ଆମେ ତାଲିକା ପ୍ରସ୍ତୁତ କରିସାରିଛୁ ଏବଂ ବିରୋଧୀ ଦଳର ୧୦୭ ବିଧାୟକ ଆମ ସହ ଲଗାତାର ସଂପର୍କରେ ଅଛନ୍ତି ବୋଲି ମୁକୁଲ ରାୟ ଦାବି କରିଛନ୍ତି। ପଶ୍ଚିମବଂଗ ବିଧାନସଭାରେ ମୋଟ ୨୯୪ ଆସନ ଥିବା ବେଳେ ୨୦୧୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଏମ୍‌ସି ୨୧୧ ଆସନ ଦଖଲ କରି ସରକାର ଗଠନ କରିଥିଲା। ଦ୍ବିତୀୟ ସ୍ଥାନରେ ରହିଥିବା କଂଗ୍ରେସକୁ ୪୪ ଆସନ ମିଳିଥିବା ବେଳେ ତୃତୀୟ ସ୍ଥାନରେ ଥିବା ସିପିଏମ୍‌କୁ ୨୬ଟି ଆସନ ମିଳିଥିଲା। ବିଜେପିକୁ ରାଜ୍ୟରେ ମାତ୍ର ୩ଟି ଆସନ ମିଳିଥିଲା। ପଶ୍ଚିମବଂଗରେ ସରକାର ଗଠନ ପାଇଁ ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଯଦି ୧୦୭ ବିଧାୟକ ବିଜେପିରେ ସାମିଲ ହେବେ, ତାହା ସତ୍ତ୍ବେ ମମତା ବାନାର୍ଜୀଙ୍କ ସରକାର ତିଷ୍ଠି ରହିବ।

ସମ୍ବନ୍ଧିତ ଖବର