ଅଗଷ୍ଟରେ ଏପର୍ଯ୍ୟନ୍ତ ୭ ପ୍ରତିଶତ ବଳକା ବର୍ଷା

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଦେଖାଦେଇଥିବା କେତୋଟି ଲଘୁଚାପ ଫଳରେ ସାରା ଦେଶରେ ପ୍ରବଳ ବର୍ଷା ହୋଇଛି । ଏହା ଫଳରେ ଜୁଲାଇ ମାସରେ ନିଅଣ୍ଟିଆ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଅଗଷ୍ଟ ୨୩ ସୁଦ୍ଧା ୭ ପ୍ରତିଶତ ବଳକା ବର୍ଷାରେ ପରିଣତ ହୋଇଛି । ଆଜିଠାରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ମାସ ଶେଷ ବେଳକୁ ଏହି ବଳକା ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଜୁନରେ ଦେଶରେ ୧୭ ପ୍ରତିଶତ ବଳକା ବର୍ଷା ହୋଇଥିବାବେଳେ ଜୁଲାଇ ଶୁଖିଲା ପଡ଼ିଗଲା । ଆବଶ୍ୟକ ବର୍ଷା ଅଭାବରୁ ଜୁଲାଇରେ ମୌସୁମୀ ୧୦ପ୍ରତିଶତ ନିଅଣ୍ଟ ରହିଲା । କିନ୍ତୁ ଅଗଷ୍ଟରେ ଉଭୟ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ଫଳରେ ବର୍ଷା ପରିମାଣ ନିଅଣ୍ଟକୁ ଭରଣା କରିବା ସହ ସ୍ୱାଭାବିକଠାରୁ ୭ ପ୍ରତିଶତ ବଳକା ବର୍ଷା ହୋଇଛି ।
ତେବେ ସ୍କାଏମେଟର ରିପୋର୍ଟ ଅନୁସାରେ ସେପ୍ଟେମ୍ବରରେ ଅଗଷ୍ଟ ତୁଳନାରେ କମ ବର୍ଷା ହେବ । କିନ୍ତୁ ସାମଗ୍ରିକ ଭାବେ ମୌସୁମୀ ବର୍ଷା ପରିମାଣରେ ସେତେଟା ହ୍ରାସ ପାଇବାର ସମ୍ଭାବନା ନାହିଁ ।

ଚଳିତ ମୌସୁମୀ ଋତୁ ଆରମ୍ଭ ହେବା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଏବର୍ଷ ସ୍ୱାଭାବିକଠାରୁ ୩ ପ୍ରତିଶତ ଅଧିକ ବର୍ଷା ହେବ ।

ସମ୍ବନ୍ଧିତ ଖବର