ଥ୍ରିସୁର: କେରଳର ଜିଏସ୍ଟି ବିଭାଗ ଗୁଇନ୍ଦା ଶାଖା ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ଥ୍ରିସୁରର ୭୮ଟି ସୁନା ତିଆରି କମ୍ପାନି ଏବଂ ହୋଲସେଲ୍ ଡିଲରଙ୍କ ଘରେ ଚଢ଼ଉ କରି ୧୦୮ କିଲୋ ହିସାବ ବହିର୍ଭୂତ ସୁନା ଜବତ କରିଛି। ଏହି ଚଢ଼ଉର କୋଡ୍ ନାଁ ଦିଆଯାଇଛି ‘ଟରେ ଡେଲ୍ ଓରୋ’ (ଟାୱାର ଅଫ୍ ଗୋଲ୍ଡ୍)। ବୁଧବାର ଅପରାହ୍ନ ୪.୩୦ରୁ ଗୁରୁବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଥ୍ରିସୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ଉ ଚାଲିଥିଲା। ଏହି ଚଢ଼ଉକୁ ଗୁପ୍ତ ରଖିବାପାଇଁ ରାଜ୍ୟର ବିଭିନ୍ନ ଅଂଶରୁ ୭୦୦ରୁ ଅଧିକ ଅଧିକାରୀଙ୍କୁ ଅଣାଯାଇଥିଲା। ଜିଏସ୍ଟି ସ୍ବତନ୍ତ୍ର କମିସନର ରେନ୍ନ ଆବ୍ରାହମ କହିଛନ୍ତି, ବିଭିନ୍ନ ବଡ଼, ମଧ୍ୟମ ଏବଂ କ୍ଷୁଦ୍ର ସୁନା ତିଆରି କମ୍ପାନି ଏବଂ ଏହାର ମାଲିକମାନେ ପ୍ରାୟ ୧୨୦୦ କୋଟି ଟଙ୍କାର ସୁନା କାରବାର ଲୁଚାଇଥିଲେ।
ଗତ ୫ ବର୍ଷ ମଧ୍ୟରେ ଏହି କମ୍ପାନିଗୁଡ଼ିକ ଦ୍ବାରା ଗଚ୍ଛିତ ଏବଂ ବିକ୍ରି କରାଯାଇଥିବା ହିସାବ ବହିର୍ଭୁତ ସୁନାକୁ ନେଇ ବିଭାଗ ତଦନ୍ତ କରୁଛି। ଆବ୍ରାହମ କହିଛନ୍ତି, ଜବତ ହୋଇଥିବା ସୁନାକୁ ଏବେ ଟ୍ରେଜେରିକୁ ପଠାଯିବ। ୫ ବର୍ଷର ରେକର୍ଡକୁ ଭଲଭାବେ ଯାଞ୍ଚ କରାଯିବ। କମ୍ପାନିଗୁଡ଼ିକ ନିର୍ଦ୍ଧାରିତ ଜିଏସ୍ଟି ଏବଂ ଦଣ୍ଡ ପରିମାଣ ପୈଠ କରିପାରିବାପରେ ସୁନା ଗୁଡ଼ିକ ଫେରି ପାଇବାପାଇଁ ଦାବି କରିପାରିବେ। ଅଧିକାରୀ କହିଛନ୍ତି, କମ୍ପାନିଗୁଡ଼ିକ ୩ ପ୍ରତିଶତ ଜିଏସ୍ଟି ସହ ୩ ପ୍ରତିଶତ ଜୋରିମାନା ଏବଂ ସୁଧ ଦେବେ। ବଜାର ଦର ଅନୁଯାୟୀ ଟିକସ ହାର ଧାର୍ଯ୍ୟ ହେବ।