ନାଗପୁର: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସ୍ସି)ର ଉଦ୍ଘାଟନ କରି କହିଛନ୍ତି ଯେ ବିଜ୍ଞାନ ସେତେବେଳେ ବିରାଟ ସଫଳତା ହାସଲ କରିପାରିବ ଯେତେବେଳେ ଏହା ବିଜ୍ଞାନାଗାରରୁ ବାହାରି ଦୈନନ୍ଦିନ ଜୀବନ ଯାଏ ପହଞ୍ଚିପାରିବ। ଭାରତ ଏବେ ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି ଏବଂ ଆଗାମୀ ୨୫ ବର୍ଷ ପାଇଁ ବିଶ୍ବର ନଜର ଭାରତ ଉପରେ ରହିବ। ରାଷ୍ଟ୍ରସନ୍ଥ ତୁକାଦୋଜୀ ମହାରାଜ ନାଗପୁର ବିଶ୍ବବିଦ୍ୟାଳୟ (ଆର୍ଟିଏମ୍ଏନ୍ୟୁ) ଦ୍ବାରା ଏହି ବିଜ୍ଞାନ ସମ୍ମିଳନୀର ଆୟୋଜନ କରାଯାଇଛି।
ବିଜ୍ଞାନାଗାରରୁ ଦୈନନ୍ଦିନ ଜୀବନରେ ପହଞ୍ଚିବାରେ ବିଜ୍ଞାନର ସଫଳତା
ବିଜ୍ଞାନ କଂଗ୍ରେସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
ଏ ବର୍ଷର ବିଜ୍ଞାନ କଂଗ୍ରେସର ଥିମ୍ ହେଉଛି ‘ମହିଳା ସଶକ୍ତୀକରଣ ସହ ଧାରଣୀୟ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି’। ଏହି ସମ୍ମିଳନୀରେ ଧାରଣୀୟ ବିକାଶ, ମହିଳା ସଶକ୍ତୀକରଣ ଏବଂ ଏହି ଲକ୍ଷ୍ୟ ହାସଲରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ବିଜ୍ଞାନ ଅନେକ ଅଗ୍ରଗତି କଲାଣି ମାତ୍ର ଯେତେବେଳେ ଏହା ବିଜ୍ଞାନାଗାରରୁ ଯାଇ ଦୈନନ୍ଦିନ ଜୀବନରେ ପହଞ୍ଚିବ, ଯେତେବେଳେ ଏହା ଜର୍ଣ୍ଣାଲରୁ ଜମିନ (ପୋଥି ବାଇଗଣରୁ ବାଡ଼ି ବାଇଗଣ) ଯାଏ ଗତି କରିବ ଏବଂ ଯେତେବେଳେ ଏହା ଗବେଷଣାରୁ ବାହାରି ବାସ୍ତବ ଜୀବନରେ ପରିବର୍ତ୍ତନ ଆଣିବ, ସେତେବେଳେ ଯାଇ ଏହା ବାସ୍ତବ ବିରାଟ ସଫଳତାରେ ପରିଣତ ହେବ। ଆଗାମୀ ୨୫ ବର୍ଷର ବିକାଶ ଯାତ୍ରାରେ ଭାରତର ବୈଜ୍ଞାନିକ ଶକ୍ତିର ଭୂମିକା ବିଷୟରେ ମୋଦୀ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଯେତେବେଳେ ଦେଶସେବାର ଆପ୍ରାଣତା ବିଜ୍ଞାନ ଓ ଗଭୀର ଭଲପାଇବା ସମନ୍ବିତ ହୋଇଯିବ ସେତେବେଳେ ଅଭୂତପୂର୍ବ ଫଳଲାଭ ହେବ। ମୋଦୀ ଆଶା ପ୍ରକାଶ କରିଥିଲେ ଯେ ଭାରତର ବୈଜ୍ଞାନିକ ସମୁଦାୟ ନିଶ୍ଚିତ ଭାବରେ ଆମ ଦେଶ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଏବେ ବିଶ୍ବର ଶ୍ରେଷ୍ଠ ଦେଶଗୁଡ଼ିକ ଭିତରେ ଗଣାହେଉଛି। ୨୦୨୨ରେ ବିଶ୍ବ ନବୋଦ୍ଭାବନ ସୂଚକାଙ୍କ (ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ)ରେ ଭାରତ ୪୦ତମ ସ୍ଥାନକୁ ଉନ୍ନୀତ ହୋଇଛି, ଯାହା ୨୦୧୫ରେ ୮୧ତମ ସ୍ଥାନରେ ଥିଲା। ପିଏଚ୍ଡି ଡିଗ୍ରିଧାରୀ ଓ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ସଂଖ୍ୟା ଦୃଷ୍ଟିରୁ ଭାରତ ଏବେ ବିଶ୍ବର ପ୍ରଥମ ତିନୋଟି ଦେଶ ମଧ୍ୟରୁ ଅନ୍ୟତମ। ସେ କହିଥିଲେ, ବିଜ୍ଞାନ ଯେତେବେଳେ ଏକ୍ସପେରିମେଣ୍ଟ (ପରୀକ୍ଷା) ଓ ଲୋକଙ୍କ ଏକ୍ସିପିରିଏନ୍ସ (ଅନୁଭବ) ଭିତରେ ଥିବା ଦୂରତାକୁ ଅତିକ୍ରମ କରିଯାଏ ସେତେବେଳେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦିଏ ଓ ନିଜର ଭୂମିକା ବିଷୟରେ ଯୁବପିଢ଼ି ମନରେ ବିଶ୍ବାସ ଜନ୍ମାଏ। ନୂଆ ନୂଆ ରୋଗ ସଂକ୍ରମଣ ଉପରେ ନଜର ରଖିବା ଏବଂ ନୂଆ ଟିକା ଉଦ୍ଭାବନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଏଥି ସହ ମହାକାଶ ଗବେଷଣା କ୍ଷେତ୍ରରେ ଉନ୍ନତି ଏବଂ ଲୋ-କଷ୍ଟ ସାଟେଲାଇଟ୍ ଲଞ୍ଚ ଭେହିକ୍ଲ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ଏ କ୍ଷେତ୍ରରେ ଉନ୍ନତି ଯୋଗୁ ସାରା ବିଶ୍ବ ଆମର ସେବା ନେବାକୁ ଆଗେଇ ଆସିବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/39-3.jpg)