ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛି। ୨୦୨୬ରୁ ସିବିଏସ୍ଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଅତିରିକ୍ତ ସୁଯୋଗ ମିଳିବ। ନୂଆ ଅନୁମୋଦିତ ଡ୍ରାଫ୍ଟ ଗାଇଡ୍ଲାଇନ୍ ଅନୁଯାୟୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରିରୁ ମାର୍ଚ୍ଚ ମଧ୍ୟରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ମେ ମାସରେ ଅନୁଷ୍ଠିତ ହେବ। ଉଭୟ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତାର ବ୍ୟାପକ ମୂଲ୍ୟାୟନ ସହ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ଦୁଇ ପରୀକ୍ଷା ଭିତରୁ ପିଲା ଯେଉଁ ପରୀକ୍ଷାରେ ଅଧିକ ଭଲ କରିଥିବ, ସେହି ପରୀକ୍ଷାର ଫଳକୁ ଚୟନ କରିପାରିବ।
ବାର୍ଷିକ ଦୁଇଥର ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ଓ ଆଭ୍ୟନ୍ତରୀଣ ମୂଲ୍ୟାୟନ ବର୍ଷକୁ ଥରେ ହିଁ ହେବ। ଏହି ନୂତନ ଢାଞ୍ଚାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ଏବଂ ଏକକ ବାର୍ଷିକ ପରୀକ୍ଷା ସହିତ ଜଡ଼ିତ ଚାପକୁ ହ୍ରାସ କରିବା। ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷାରେ ଯୋଗ ଦେଇ ସେମାନଙ୍କ ପ୍ରସ୍ତୁତି ସହ ସର୍ବୋତ୍ତମ ସମନ୍ୱୟ ରକ୍ଷା କରୁଥିବା ବିକଳ୍ପ ଚୟନ କରିବାର ସୁଯୋଗ ପାଇବେ। ଆସନ୍ତା ଶିକ୍ଷାବର୍ଷରୁ ପ୍ରତିବର୍ଷ ଦୁଇଟି ବୋର୍ଡ ପରୀକ୍ଷା ଆୟୋଜନ ଯୋଜନା ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ ନିକଟରେ ସିବିଏସ୍ଇ ସହ ଆଲୋଚନା କରିଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ବୈଠକର ବିବରଣୀ ସେୟାର କରି କହିଛନ୍ତି ଯେ, ସିବିଏସ୍ଇ ଖୁବ୍ଶୀଘ୍ର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପରେ ଜନସାଧାରଣଙ୍କ ପରାମର୍ଶ ଲୋଡ଼ିବ। ବର୍ଷକୁ ଦୁଇଟି ପରୀକ୍ଷା ଆୟୋଜନ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଚାପମୁକ୍ତ ଶିକ୍ଷଣ ବାତାବରଣ ସୃଷ୍ଟି କରିବା ପାଇଁ ସରକାରଙ୍କ ବ୍ୟାପକ ପ୍ରୟାସର ଏକ ଅଂଶ। ଏଥିସହିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ‘ଗ୍ଲୋବାଲ୍ କରିକୁଲମ୍ ଫର୍ ଫରେନ୍ ସ୍କୁଲ୍ସ’ ଆରମ୍ଭ କରିବାକୁ ମନ୍ତ୍ରଣାଳୟ ପ୍ରସ୍ତୁତି ଚଳାଇଛି। ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଶିକ୍ଷାବର୍ଷରେ ବିଦେଶୀ ବିଦ୍ୟାଳୟ ପାଇଁ ଗ୍ଲୋବାଲ ପାଠ୍ୟକ୍ରମର ଶୁଭାରମ୍ଭ ନିମନ୍ତେ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ
ସିବିଏସ୍ଇକୁ ନିର୍ଦ୍ଦେଶ ଦିଆଯାଇଥିଲା।