ବିଜେପି ନେତାଙ୍କ ପୁତୁରାର ବିବାହରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା: ୮ ଗିରଫ, ୩ ଫେରାର

ଭାଲସାଦ (ଗୁଜୁରାଟ): ପୁତୁରାର ବିବାହ ଉତ୍ସବରେ ଖୋଲାଖୋଲି ଭାବେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଘଟଣା ଗୁଜୁରାଟର ଜନୈକ ବରିଷ୍ଠ ବିଜେପି ନେତାଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଗୁଜୁରାଟ ପୁଲିସ୍‌ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି। ବିଜେପି ଧରାମପୁର ତାଲୁକା ମୁଖ୍ୟଙ୍କ ପୁତୁରାର ବିବାହ ଉତ୍ସବରେ ସୋମବାର କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ,ଗୁଜୁରାଟ ଭାଲସାଦ ଜିଲ୍ଲାର ବିଜେପି ତାଲୁକା ସଭାପତିିଙ୍କ ଭାଇ ଅରବିନ୍ଦ ଭାଣ୍ଡୁଙ୍କ ପୁଅ ପାଇଁ ଆୟୋଜିତ ବିବାହ ଉତ୍ସବରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର ପାଳନ କରାଯାଇ ନଥିଲା। ବିବାହ ଉତ୍ସବ ପାଇଁ ଆୟୋଜିତ ସଂଗୀତ ସମାରୋହରେ, ଶହେରୁ ଅଧିକ ଲୋକ ବିନା ମାସ୍କରେ ଏକାଠି ହୋଇଥିଲେ ଏବଂ ସାମାଜିକ ଦୂରତା ନିୟମର ପାଳନ କରି ନଥିଲେ ବୋଲି ପୁଲିସ ଅଧୀକ୍ଷକ ରାଜଦୀପ ସିଂ ଜାଲା ଗଣମାଧ୍ୟମକୁ କହିଛନ୍ତି।

ANI

ଏ ସଂପର୍କରେ ପୁଲିସ୍‌କୁ ସୂଚନା ମିଳିବା ପରେ ଧରାମପୁର ମହିଳା ପୁଲିସ ସବ୍‌- ଇନ୍‌ସପେକ୍ଟର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବା ସହ ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଗିରଫ କରିଥିଲେ। ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଥିବା ପୁଲିସ ଅଧୀକ୍ଷକ ରାଜଦୀପ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର