ନୂଆଦିଲ୍ଲୀ: ଦେଶରେ ଏବେ ଶିଶୁ ଓ ମହିଳାଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟ ଗୁଡ଼ିକରେ ଅଧିକ ସଂଖ୍ୟାରେ ଶିଶୁ ଦୁଷ୍କର୍ମର ଶିକାର ହେଉଛନ୍ତି। ଖାଲି ସେତିକି ନୁହେଁ ଦୁଷ୍କର୍ମ ପରେ ଶିଶୁଙ୍କୁ ଅତ୍ୟନ୍ତ ଅକଥନୀୟ ଅତ୍ୟାଚାର କରାଯିବା ସହ ମାରି ଦିଆଯାଉଛି। ବାରମ୍ବାର ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବାପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ ଏଥିରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଗତ ଜୁଲାଇ ୧ ତାରିଖରେ ରେଜିଷ୍ଟ୍ରିରୁ ଶିଶୁ ଦୁଷ୍କର୍ମ ସଂକ୍ରାନ୍ତ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। ଗତ ଜାନୁଆରି ୧ରୁ ଜୁନ୍ ୩୦ ମଧ୍ୟରେ କେତେ ସଂଖ୍ୟାରେ ଶିଶୁ ଦୁଷ୍କର୍ମ ମାମଲା ରହିଛି , ଚାର୍ଜସିଟ୍ ଦାଖଲ ପାଇଁ କେତେଦିନ ଲାଗୁଛି ଏବଂ କୋର୍ଟରେ କେତେ ମାମଲା ବିଚାରାଧୀନ ରହିଛି ତାହା ଜାଣିବାକୁ ପ୍ରଧାନ ବିଚାରପତି ଚାହିଥିଲେ। ତେବେ ସବୁ ହାଇକୋର୍ଟରୁ ସଂଗୃହୀତ ହୋଇଥିବା ତଥ୍ୟକୁ ନେଇ ରେଜିଷ୍ଟ୍ରି ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଥିଲା ଯେ ଚଳିତ ବର୍ଷ ଜାନୁଆରି ୧ରୁ ଜୁନ୍ ୩୦ ମଧ୍ୟରେ ତଥା ଗତ ୬ ମାସ ମଧ୍ୟରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୁଲିସ ୨୪,୨୧୨ ଦୁଷ୍କର୍ମ ମାମଲା ନେଇ ଏଫ୍ଆଇଆର ରୁଜୁ କରିଛି। ଏଥି ମଧ୍ୟରୁ ୧୧,୯୮୧ ମାମଲା ଏେବ ବି ତଦନ୍ତାଧୀନ ରହିଛି। ୧୨,୨୩୧ ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ତେବେ କେବଳ ୬,୪୪୯ ମାମଲାରେ ବିଚାର ଆରମ୍ଭ ହୋଇଥିବାବେଳେ ୪,୮୭୧ ମାମଲାରେ ଏଯାବତ୍ ବିଚାର ଆରମ୍ଭ ହୋଇନି। ସମସ୍ତ ମାମଲାର ମାତ୍ର ୪ ପ୍ରତିଶତ ତଥା ୯୧୧ ମାମଲାରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ରିପୋର୍ଟର ଆକଳନରୁ ଜଣାପଡ଼ୁଛି ଯେ ପ୍ରତି ୨ ଘଣ୍ଟାରେ ଥରେ ଭାରତରେ ୧୧ ଶିଶୁ ଦୁଷ୍କର୍ମର ଶିକାର ହେଉଛନ୍ତି। ଏଭଳି ସ୍ଥଳେ ଶିଶୁଙ୍କୁ ସୁରକ୍ଷା ଦେବା ଦେଶ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଗଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଶିଶୁ ଦୁଷ୍କର୍ମ ମାମଲା ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଉତ୍ତରପ୍ରଦେଶରେ ୩,୪୫୭ ଶିଶୁ ଦୁଷ୍କର୍ମ ନେଇ ପୁଲିସ ଏଫ୍ଆଇଆର ରୁଜୁ କରିଥିବାବେଳେ ଏଥିରୁ ୫୦ ପ୍ରତିଶତରୁ ଅଧିକ ମାମଲା ତଥା ୧୭୭୯ ଏଫ୍ଆଇଆର ଏବେ ବି ତଦନ୍ତାଧୀନ ରହିଛି। ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ୨,୩୮୯ ଶିଶୁ ଦୁଷ୍କର୍ମ ମାମଲା ରହିଥିବାବେଳେ ଏଥିରୁ ୧୮୪୧ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ଏବଂ ୨୪୬ ମାମଲାରେ ବିଚାର ସରିଛି। ଏହା ପଛକୁ ରାଜସ୍ଥାନରେ ୧୯୯୨ , ମହାରାଷ୍ଟ୍ରରେ ୧୯୪୦, ପଶ୍ଚିମବଙ୍ଗରେ ୧୫୫୧, ଛତିଶଗଡ଼ରେ ୧୨୮୫, କର୍ଣ୍ଣାଟକରେ ୧୧୩୩, ଗୁଜରାଟରେ ୧୧୨୪, ତାମିଲନାଡ଼ୁରେ ୧୦୪୩, କେରଳରେ ୧୦୧୨, ଓଡ଼ିଶାରେ ୧୦୦୫, ତେଲେଙ୍ଗାନାରେ ୯୨୮ ଏବଂ ଆସାମରେ ୯୦୪ଟି ଶିଶୁ ଦୁଷ୍କର୍ମ ମାମଲା ରହିଥିବା ଜଣାପଡ଼ିଛି। ୨୦୧୪ରୁ ୨୦୧୭ ମଧ୍ୟରେ ୧.୩୫ ଲକ୍ଷ ଶିଶୁ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ଏବେ ଦେଶରେ ବଢ଼ୁଥିବା ଶିଶୁ ଦୁଷ୍କର୍ମ ମାମଲା ଗୁଡ଼ିକରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏନେଇ ନିଜଆଡ଼ୁ ପିଟିସନ୍ ଦାଖଲ କରିବାପାଇଁ ସ୍ଥିର କରିଛନ୍ତି। ପୋେକ୍ସା ମାମଲା ଗୁଡ଼ିକର ଶୀଘ୍ର ବିଚାର ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ପୋେକ୍ସା ମାମଲା ରହିଥିବା ଜଣାପଡ଼ିଛି।