ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ପିଇ ୧୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ୯ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନର ଭରତପୁରରେ ଜଣଙ୍କର ଏବଂ ସିକରରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଶିଶୁ ମୃତ୍ୟୁ ସହ ଜଡ଼ିତ କଫ୍ ସିରପ୍ ନମୁନାରେ କିଡ୍ନି ଆଘାତ ସହିତ ଜଡ଼ିତ କୌଣସି ବିଷାକ୍ତ ପଦାର୍ଥ ମିଳିନାହିଁ। ସିରପ୍ ଖାଇ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିବା ପରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଜାତୀୟ ଭାଇରୋଲୋଜି ସଂସ୍ଥାନ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏବଂ ଅନ୍ୟାନ୍ୟ ସଂସ୍ଥାର ବୈଜ୍ଞାନିକମାନେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଗସ୍ତ କରିଥିଲେ ଏବଂ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷାରୁ ଜଣାପଡ଼ିଲା ଯେ କୌଣସି ନମୁନାରେ ଡାଏଥିଲିନ୍ ଗ୍ଲାଇକଲ୍ କିମ୍ବା ଇଥିଲିନ୍ ଗ୍ଲାଇକଲ୍ ନଥିଲା। ରାଜ୍ୟ ଅଧିକାରୀଙ୍କ ଦ୍ୱାରା ମଧ୍ୟ ନମୁନାଗୁଡ଼ିକର ପରୀକ୍ଷା କରାଯାଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଲାମାନଙ୍କ ପାଇଁ କଫ୍ ସିରପ୍ ବ୍ୟବହାର ସୀମିତ କରିବା ପାଇଁ ଏକ ଉପଦେଶାବଳୀ ଜାରି କରିଛନ୍ତି। ବିଶେଷକରି, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ଉଚିତ ନୁହେଁ ଏବଂ ସାଧାରଣତଃ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ମଧ୍ୟ ଏଭଳି ଔଷଧ ଦେବା ଗ୍ରହଣୀୟ ନୁହେଁ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀରେ କୁହାଯାଇଛି ଯେ ପିଲାମାନଙ୍କଠାରେ କାଶର ଅଧିକାଂଶ ମାମଲା ସ୍ୱୟଂ-ସୀମିତ ରୋଗ, ଯାହା ଔଷଧ ବିନା ଭଲ ହୋଇଯାଏ। ଏଥିପାଇଁ ଶରୀରରେ ଜଳୀୟ ଅଂଶ ଠିକ୍ ରଖିବା ତଥା ହାଇଡ୍ରେସନ୍, ବିଶ୍ରାମ, ଯତ୍ନ ପ୍ରଥମ ଚିକିତ୍ସା ହେବା ଉଚିତ। ନିର୍ମାତାମାନଙ୍କୁ ମଧ୍ୟ ‘ଭଲ ଉତ୍ପାଦ’ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଏକାଧିକ ଔଷଧ ମିଶ୍ରଣ ଏଡ଼ାଇବା ଏବଂ ଔଷଧର ନିରାପଦ ବ୍ୟବହାର ବିଷୟରେ ପିତାମାତାଙ୍କୁ ସଚେତନ କରିବାକୁ କୁହାଯାଇଛି।
ଶିଶୁଙ୍କ ପାଇଁ କଫ୍ ସିରପ୍ ବ୍ୟବହାର ସୀମିତ କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
ଉଲ୍ଲେଖଯୋଗ୍ୟ, ଛିନ୍ଦୱାଡ଼ାରେ ୧୫ ଦିନ ମଧ୍ୟରେ ନଅ ଜଣ ଶିଶୁଙ୍କ ମୃତ୍ୟୁ ପରେ ସତର୍କ ଘଣ୍ଟି ବାଜିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ କଫ୍ ସିରପ୍ରେ ଡାଇଥାଇଲିନ୍ ଗ୍ଲାଇକଲ୍ ନାମକ ଏକ ବିଷାକ୍ତ ଜିନିଷ ମିଶାଯାଇଥିଲା। କିଡ୍ନି ବାୟୋପ୍ସି ପିଲାମାନଙ୍କ ଶରୀରରେ ଡାଏଥିଲିନ୍ ଗ୍ଲାଇକଲ୍ ଥିବା ନିଶ୍ଚିତ କରିଥିଲା। ଅଧିକାଂଶ ପୀଡ଼ିତଙ୍କୁ କୋଲଡ୍ରିଫ୍ ଏବଂ ନେକ୍ସଟ୍ରୋ-ଡିଏସ୍ ସିରପ୍ ଦିଆଯାଇଥିଲା। ଏହାପରେ ଛିନ୍ଦୱାଡ଼ା ଜିଲ୍ଲାପାଳ ଶୈଳେନ୍ଦ୍ର ସିଂହ ତୁରନ୍ତ ଜିଲ୍ଲା ସାରା ଉକ୍ତ ଦୁଇଟି ସିରପ୍ ବିକ୍ରୟକୁ ନିଷିଦ୍ଧ କରିଥିଲେ ଏବଂ ଡାକ୍ତର, ଔଷଧ ଦୋକାନ ଏବଂ ଅଭିଭାବକମାନଙ୍କ ଲାଗି ଏକ ଜରୁରୀ ପରାମର୍ଶ ଜାରି କରିଥିଲେ। ଏହା ପରେ ରାଜସ୍ଥାନରୁ ମଧ୍ୟ ୨ ଜଣ ଶିଶୁଙ୍କର କଫ୍ ସିରପ୍ ପିଇ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ସିରପ୍ରେ ପ୍ରୋପିଲିନ୍ ଗ୍ଲାଇକଲ୍ ନାହିଁ, ଯାହା କେତେକ ସମୟରେ ଡାଇଥାଇଲିନ୍ କିମ୍ବା ଇଥିଲିନ୍ ଗ୍ଲାଇକଲ୍ ସଂକ୍ରମଣର ଉତ୍ସ ହୋଇପାରେ। ଅନ୍ୟପକ୍ଷରେ ରାଜସ୍ଥାନରୁ ଆସିଥିବା ନମୁନାଗୁଡ଼ିକ ବର୍ତ୍ତମାନ ପରୀକ୍ଷା କରାଯାଉଛି ଏବଂ ସିରପ୍ ଉତ୍ପାଦନ କରୁଥିବା କମ୍ପାନିର ମଧ୍ୟ ଯାଞ୍ଚ କରାଯାଉଛି। ରାଜ୍ୟ ସରକାର ଜେନେରିକ୍ ସିରପ୍ ଯୋଗାଣ କରୁଥିବା କେସନ୍ ଫାର୍ମାର ସମସ୍ତ ଉତ୍ପାଦର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।