ମେକ୍ସିକୋ ସିଟି: ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ପ୍ରଭାବରେ ଦକ୍ଷିଣ ମେକ୍ସିକୋର ଓକ୍ସାକା ସହରରେ ୧୧ଜଣଙ୍କ ଜୀବନ ଯାଇଛି। ଏଥି ସହିତ ୩୩ଜଣ ନିଖୋଜ ହୋଇଥିବା ସେଠାକାର ଗଭର୍ଣ୍ଣର ଆଲେଜାନ୍ଦ୍ରୋ ମୁରତ କହିଛନ୍ତି। ଏଥି ସହିତ ଅନେକ ଘର ଦ୍ବାର ଭାଙ୍ଗିଛି। ପ୍ରାୟ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି ଯେ, ସାଧାରଣତଃ ମଇ ମାସରେ ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ଝଡ ସୃଷ୍ଟି ହୋଇଥାଏ। ତେବେ ରେକର୍ଡ ଅନୁସାରେ ଉକ୍ତ ସାମୁଦ୍ରିକ ଝଡ ଆଗାଥା ସବୁଠାରୁ ଶକ୍ତିଶାଳୀ ଥିଲା।
ସୋମବାର ସମୁଦ୍ରରେ ବଳ ଗୋଟାଇବା ପରେ ସାମୁଦ୍ରିକ ଝଡ ଆଗାଥା ଶକ୍ତିଶାଳୀ ହୋଇପଡିଥିଲା। ଘଣ୍ଟାକୁ ୧୦୫ରୁ ୧୭୦ କିମି ବେଗରେ ପବନ ବହିଥିଲା। ପ୍ରବଳ ବର୍ଷା ବି ହୋଇଥିଲା। ବୁଧବାର ଉପକୂଳରେ ମାଡ ହେବା ପରେ ଏଭଳି କ୍ଷୟକ୍ଷତି ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୪୮ ଘଣ୍ଟା ଭିତରେ ଏହି ସାମୁଦ୍ରିକ ଝଡ ଅବପାତର ରୂପ ନେବ ବୋଲି ଆମେରିକାର ଜାତୀୟ ହୁରିକେନ ସେଣ୍ଟର ପକ୍ଷରୁ ଆକଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/2.jpg)
