ବିଶାଖାପାଟଣା ସିପ୍‌ୟାର୍ଡରେ ଶ୍ରମିକଙ୍କ ଉପରେ କ୍ରେନ୍ ଭାଙ୍ଗିପଡ଼ିବାରୁ ୧୧ ମୃତ

ହାଇଦ୍ରାବାଦ: ଶନିବାର ଅପରାହ୍ଣରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ‘ହିନ୍ଦୁସ୍ତାନ ସିପ୍‌ୟାଡ୍ ଲିମିଟେଡ୍‌’ରେ ଗୋଟାଏ ପ୍ରକାଣ୍ଡ କ୍ରେନ୍ ଭାଙ୍ଗିପଡ଼ିବାରୁ ଅନ୍ୟୂନ ୧୧ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଆହତ ହୋଇଥିବା କଥା ପୁଲିସ କହିଛି।

ଜାହାଜ ନିର୍ମାଣ ଲାଗି ସାମଗ୍ରୀ ଉଠାଇବାରେ ବ୍ୟବହୃତ କ୍ରେନ୍‌ଟିକୁ ଶ୍ରମିକମାନେ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହଠାତ୍ ଏହି ପ୍ରକାଣ୍ଡ କ୍ରେନ୍‌ଟି ଭାଙ୍ଗିଯାଇ ପ୍ରଚଣ୍ଡ ଶବ୍ଦ ସହ ତଳେ ପଡ଼ିଯାଇଥିଲା।

Image Courtesy of Yo! Vizag

ପ୍ରାୟ ‌୨୦ ଜଣ ଶ୍ରମିକ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ କ୍ରେନ୍‌ ଭାଙ୍ଗିପଡ଼ିଥିଲା। କେତେକ ଶ୍ରମିକ ସୁରକ୍ଷିତ ସ୍ଥାନକୁ ଧାଇଁ ପଳାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିଲେ। ପ୍ରକାଣ୍ଡ କ୍ରେନ୍‌ ତଳେ ଅନ୍ୟୂନ ୧୧ଜଣ ଶ୍ରମିକ ଛେଚି ହୋଇମରିଥିବା କଥା ପୁଲିସ ଅଧିକାରୀ କହୁଛନ୍ତି।

ସଦ୍ୟତମ ରିପୋର୍ଟ ଅନୁସାରେ, କ୍ରେନ୍‌ର ଭଗ୍ନାଂଶ ତଳୁ ତିନୋଟି ଶବ ଉଦ୍ଧାର କରାଯାଇଛି। ଅନ୍ୟ ଶବଗୁଡ଼ିକ ଛେଚି ହୋଇଯାଇଥିବା ବିଶ୍ବାସ କରାଯାଉଛି। ସିପ୍‌ୟାଡ୍ (ଜାହାଜ ନିର୍ମାଣ ସ୍ଥାନ) କର୍ମଚାରୀଙ୍କ ସହାୟତାରେ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ଦୁର୍ଘଟଣାର କାରଣ ସମ୍ବନ୍ଧରେ ତଦନ୍ତ କରିବାକୁ ବିଶାଖାପାଟଣା ପୁଲିସ କମିସନର୍ ଆର୍‌କେ ମୀନା ଘଟଣାସ୍ଥଳକୁ ଯାଇଛନ୍ତି।

ପ୍ରାୟ ଦଶ ବର୍ଷ ତଳେ କ୍ରେନଟି ଏଚ୍‌ଏସ୍‌ଏଲ୍ କିଣିଥିଲା। ଏବେ ତାହା ଗୋଟିଏ ଘରୋଇ ଏଜେନ୍ସିକୁ ଆଉଟ୍‌ସୋର୍ସିଙ୍ଗ୍ ପାଇଁ ଦିଆଯାଇଥିଲା।

 

 

ସମ୍ବନ୍ଧିତ ଖବର