ମୂର୍ତ୍ତି ବିସର୍ଜନ ସାରି ଫେରୁଥିଲେ, ବାଟରେ ଜଗି ବସିଥିଲା ଯମ : ଟ୍ରାକ୍ଟର ଓଲଟି ୭ ମହିଳା, ୪ ଶିଶୁଙ୍କ ଜୀବନ ଗଲା

ଝାନସୀ: ବିଜୟାଦଶମୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୬ ଜଣ  ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା କଥା କୁହାଯାଉଛି ।

ସୂଚନା ମୁତାବକ ଉତ୍ତର ପ୍ରଦେଶର  ଝାନ୍ସିର ଚିରଗାଁଓ ଅଞ୍ଚଳରେ ଶୁକ୍ରବାର ଦିନ ଏହି ବଡ ଦୁର୍ଘଟଣା ହୋଇଛି । ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି ଫେରୁଥିବାବେଳେ ଚିରଗାଁଓ ନିକଟରେ ଟ୍ରାକ୍ଟର ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରାକ୍ଟରରେ ମୋଟ ୩୨ ଜଣ ଲୋକ ଥିଲେ । ମୃତ୍ୟୁମୁଖରେ ପଡ଼ିଥିବା ଲୋକମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ ଜଣ ଛୋଟ ପିଲା ରହିଛନ୍ତି । ଖବର ପାଇଁ ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର କରିବା ସହ ଆହତମାନଙ୍କୁ ମେଡିକାଲ ପଠାଇଛି ।

ସୂଚନା ମୁତାବକ, ଶ୍ରଦ୍ଧାଳୁମାନେ ଟ୍ରାକ୍ଟରର ଟ୍ରଲିରେ ବସି ମୂର୍ତ୍ତି ବିସର୍ଜନ କରି ଫେରୁଥିଲେ । ହଠାତ ରାସ୍ତାରେ ଟ୍ରାକ୍ଟର ଆଗକୁ ଏକ ଗୋରୁପଲ ଚାଲିଆସିଥିଲା ।  ଟ୍ରାକ୍ଟର ଚାଳକ ଭାରସାମ୍ୟ ହରାଇ ଟ୍ରାକ୍ଟରଟିକୁ ରାସ୍ତା ତଳକୁ ଗଡାଇ ଦେଇଥିଲେ । ଫଳରେ ରାସ୍ତାକଡ଼ ଖାତକୁ ଟ୍ରଲିଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା । ଟ୍ରଲି ତଳେ ଚାପି ହୋଇ ରହିବା ଫଳରେ ଘଟଣାସ୍ଥଳରେ ହିଁ  ୧୧ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର