ଚଣ୍ଡୀଗଡ଼: ଅମଳ ଋତୁରେ ଉତ୍ତର ଭାରତରେ ନଡ଼ାପୋଡ଼ି ଭୟଙ୍କର ବାୟୁ ପ୍ରଦୂଷଣ ସୃଷ୍ଟି କରୁଥିବା ବେଳେ ଏଥି ପ୍ରତି କେହି ସଚେତନ ଥିବା ପରି ମନେହେଉ ନାହିଁ। ରବିବାର ଗୋଟିଏ ଦିନରେ ପଞ୍ଜାବରେ ସର୍ବାଧିକ ୨,୮୯୫ଟି ସ୍ଥାନରେ ଚାଷୀମାନେ କ୍ଷେତରେ ନଡ଼ା ପୋଡ଼ିଥିବା ରିପୋର୍ଟ ମିଳିଛି।
ଗତବର୍ଷ ଅକ୍ଟୋବର ୩୧ ସୁଦ୍ଧା ପ୍ରାୟ ୨୮,୦୦୦ ନଡ଼ାପୋଡ଼ି ଘଟଣା ରିପୋର୍ଟ ହୋଇଥିଲା। କିନ୍ତୁ ଚଳିତବର୍ଷ ଏହା ବୃଦ୍ଧି ପାଉଛି। ଗତ ତିନିଦିନ ହେଲା ଦୈନିକ ପ୍ରାୟ ୧୦୦୦ ନଡ଼ାପୋଡ଼ି ଘଟଣା ଘଟୁଥିବା ବେଳେ ରବିବାର ସେହି ସଂଖ୍ୟା ୨,୮୯୫କୁ ଛୁଇଁଛି, ଯାହା ଅତ୍ୟନ୍ତ ଉଦ୍ବେଗଜନକ। ଆଗକାଳରେ ଧାନକୁ ମୂଳରୁ କଟାଯାଉଥିଲା। ନଡ଼ାକୁ ଜାଳେଣି, ଗୋରୁଖାଦ୍ୟ ବା ଛପର କାମରେ ଲଗାଯାଉଥିଲା। କିନ୍ତୁ ଏବେ ଅଗରୁ କେଣ୍ଡା କାଟିନେଇ କ୍ଷେତକୁ ପୋଡ଼ି ଦିଆଯାଉଛି। ଏହାଫଳରେ ଚାଷୀମାନେ କମ୍ ଖର୍ଚ୍ଚରେ କ୍ଷେତକୁ ସଫା କରି ପରବର୍ତ୍ତୀ ଚାଷ ପାଇଁ ପ୍ରସ୍ତୁତ କରିପାରୁଛନ୍ତି। କିନ୍ତୁ ପଞ୍ଜାବ ଓ ହରିୟାଣାରେ ହେଉଥିବା ନଡ଼ାପୋଡ଼ି ଯୋଗୁ ପ୍ରତିବର୍ଷ ଅମଳ ଋତୁରେ ଦିଲ୍ଲୀରେ ଭୟଙ୍କର ବାୟୁପ୍ରଦୂଷଣ ସୃଷ୍ଟି ହେଉଛି।
ଲୋକମାନେ ପ୍ରଶ୍ବାସ ନେଇପାରୁ ନାହାନ୍ତି। ପିଲାମାନେ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ଦିଲ୍ଲୀ ସରକାରଙ୍କ ଅନୁରୋଧ ସତ୍ତ୍ବେ ପଞ୍ଜାବ ଓ ହରିୟାଣା ସରକାର ନଡ଼ାପୋଡ଼ିକୁ ନିୟନ୍ତ୍ରଣ କରିପାରି ନାହାନ୍ତି। ରବିବାରର ନଡ଼ାପୋଡ଼ି ପରେ ସୋମବାର ଦିଲ୍ଲୀ ଓ ଲକ୍ଷ୍ନୌ ପରି ନଗରୀରେ ବାୟୁମାନ ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା। ନଭେମ୍ବର ୪ରେ ଦୀପାବଳି ଆସୁଥିବାରୁ ଦିଲ୍ଲୀ ଏୟାର ଇମର୍ଜେନ୍ସି ଆଡ଼କୁ ଗତି କରୁଛି ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ଦୁଇ ସପ୍ତାହ ଭିତରେ ନଡ଼ାପୋଡ଼ି ଆହୁରି ବୃଦ୍ଧି ପାଇବ ବୋଲି ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିପିସିବି)ର ଜଣେ କର୍ମକର୍ତ୍ତା କହିଛନ୍ତି। ପିପିସିବି ସଚିବ କରୁଣେଶ ଗର୍ଗ କହିଛନ୍ତି, ବହୁ ପରିମାଣରେ ନଡ଼ା ନ ପୋଡ଼ିବା ପାଇଁ ସେମାନେ କୃଷକମାନଙ୍କୁ ଅନୁରୋଧ କରୁଛନ୍ତି। ଚଳିତ ବର୍ଷ ପ୍ରାୟ ୩୦୦୦ କୃଷକଙ୍କୁ ନଡ଼ା ପୋଡ଼ି ପାଇଁ ୨୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ତଥାପି ଲୋକେ ମାନୁନାହାନ୍ତି।