ବର୍ଲିନ୍: ବିଶ୍ବ କୋଭିଡ୍ ସଂକ୍ରମଣରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଗତ ସପ୍ତାହରେ ବିଶ୍ବର କୋଭିଡ୍ ସଂକ୍ରମଣ ମାମଲାରେ ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ୧୧ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛନ୍ତି। ଆମେରିକାରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ମଙ୍ଗଳବାର ପ୍ରକାଶିତ ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥାର ସାପ୍ତାହିକ ମହାମାରୀ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦ରୁ ୨୬ ମଧ୍ୟରେ ବିଶ୍ବରେ ୪.୯୯ ନିୟୁତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଶ୍ବର ମୋଟ୍ ସଂକ୍ରମଣ ମାମଲାର ଅର୍ଦ୍ଧାଧିକ ୟୁରୋପରୁ ଚିହ୍ନଟ ହୋଇଛି।
ୟୁରୋପରେ ଗତ ସପ୍ତାହରେ ୨.୮୪ ନିୟୁତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହ ସଂକ୍ରମଣରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ‘ହୁ’ କହିଛି ଆମେରିକାରେ ସଂକ୍ରମଣ ମାମଲାରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି। ୟୁରୋପ ପରେ ଆମେରିକାରେ ଗତ ସପ୍ତାହରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ ରହିଛି। ଆମେରିକାରେ ପ୍ରତି ୧ ଲକ୍ଷ ବାସିନ୍ଦାରେ ୧୪୪.୪ ନୂଆ ମାମଲା ଚିହ୍ନଟ ହେଉଛି। ଆମେରିକାରେ କେବଳ ୧.୧୮ ନିୟୁତ ମାମଲା ଚିହ୍ନଟ ହେଉଛି। ଆମେରିକା ସଂକ୍ରମଣ ମାମଲାରେ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଆଫ୍ରିକାରେ ନୂଆ ସଂକ୍ରମଣ ମାମଲାରେ ୭ ପ୍ରତିଶତ ବୃଦ୍ଧି ହୋଇଛି। ସମଗ୍ର ୟୁରୋପରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ସଂଖ୍ୟା ବଢ଼ିଛି।
ଆମେରିକାରେ ରେକର୍ଡ ସଂକ୍ରମଣ: ଦିନକରେ ୫ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ଆମେରିକାରେ ଲଗାତାର ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆମେରିକାରେ ୫୧୨,୦୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୭୬୨ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪ ନିୟୁତ ଟପିଯାଇଛି। ସକ୍ରିୟ ମାମଲା ଏବଂ ଆରୋଗ୍ୟ ସଂଖ୍ୟା ଯଥାକ୍ରମେ ୧୧,୯୮୧,୨୭୩ ଏବଂ ୪୧,୩୨୫,୧୧୦ ରହିଛି। ଶେଷ ଥର ଗତ ଜାନୁଆରି ୮ରେ ଆମେରିକାରେ ୨୯୪,୦୧୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲେ ।
ୱାସିଂଟନ୍ ପୋଷ୍ଟ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆମେରିକାରେ ଚଳିତ ସପ୍ତାହର ହାରାହାରି ସଂକ୍ରମଣ ମାମଲା ୨୫୩,୨୪୫ ରହିଛି। ଶେଷ ଥର ଜାନୁଆରି ୧୨ ତାରିଖରେ ଆମେରିକାର ସାପ୍ତାହିକ ସଂକ୍ରମଣ ୨୪୮,୨୦୯ ରହିଥିଲା। ଆମେରିକାର ସିଡିସି ( ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) ଅନୁଯାୟୀ ଆମେରିକାରେ ମୋଟ୍ କରୋନା ପ୍ରଜାତିର ୫୮.୬ ପ୍ରତିଶତ ହେଉଛି ଓମିକ୍ରନ୍। ଅନ୍ୟପକ୍ଷେ ଡେଲ୍ଟା ପ୍ରଜାତି ଆମେରିକାରେ ମୋଟ୍ କରୋନା ପ୍ରଜାତିର ୪୧.୧ ପ୍ରତିଶତ। କାଲିଫର୍ଣ୍ଣିଆ, ନ୍ୟୁୟର୍କ ଆମେରିକାରେ ସର୍ବାଧିକ ପ୍ରଭାବିତ। ଆମେରିକାର ପ୍ରଥମ ରାଜ୍ୟ ଭାବେ କାଲିଫର୍ଣ୍ଣିଆରେ ମଙ୍ଗଳବାର ଦିନ ସଂକ୍ରମଣ ମାମଲା ୫୦ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟାରେ କାଲିଫର୍ଣ୍ଣିଆରେ ୮୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।
ନ୍ୟୁୟର୍କରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ନ୍ୟୁୟର୍କରେ ଅଧିକରୁ ଅଧିକ ସଂଖ୍ୟାରେ ଶିଶୁ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରି ହସ୍ପିଟାଲ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଇଛି।