ବିଚାର ବିଭାଗ ଇତିହାସରେ ଅଭୂତପୂର୍ବ: ପାଟନା ହାଇକୋର୍ଟ ବିଚାରପତି ଦେଇଥିବା ରାୟକୁ ୨୪ ଘଣ୍ଟା ମଧ୍ୟରେ ଖାରଜ କଲେ ୧୧ଜଣିଆ ଖଣ୍ଡପୀଠ

ପାଟନା: ବିହାରର ପାଟନା ହାଇକୋର୍ଟରେ ଆଜି ଘଟିଛି ଏକ ଅଭୂତପୂର୍ବ ଘଟଣା। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ପି ଶାହୀଙ୍କ ଅଧ୍ୟକ୍ଷତାରେ ୧୧ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ପୂର୍ଣ୍ଣ ଖଣ୍ଡପୀଠ ଗତ ବୁଧବାର ଦିନ ପାଟନା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ରାକେଶ କୁମାରଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ଏକ ରାୟକୁ ଖାରଜ କରି ଦେଇଛନ୍ତି। ଏପରି ଘଟଣା ବିଚାର ବିଭାଗ ଇତିହାସରେ ଅଭୂତପୂର୍ବ ଏବଂ ସର୍ବପ୍ରଥମ ଥିବା କୁହାଯାଉଛି।

ପାଟନା ହାଇକୋର୍ଟର ଏଗାର ଜଣିଆ ପୂର୍ଣ୍ଣ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ‘ବିଚାରପତି ଜଷ୍ଟିସ୍‌ ରାକେଶ କୁମାର ଗତକାଲି (ବୁଧବାର) ଘୋଷଣା କରିଥିବା ରାୟ ହେଉଛି ନ୍ୟାୟିକ ପଦାନୁକ୍ରମ, ବିଚାର ବିଭାଗର ବିଶ୍ୱସନୀୟତା ଓ ନ୍ୟାୟାଳୟର ମହିମା ଉପରେ ଆକ୍ରମଣ। ଯେଉଁଥି ପାଇଁ ପୂର୍ଣ୍ଣ ଖଣ୍ଡପୀଠ ଜଷ୍ଟିସ ରାକେଶ କୁମାରଙ୍କ ଦ୍ୱାରା ପ୍ରଦତ୍ତ ଏହି ରାୟକୁ ସଂପୂର୍ଣ୍ଣ ରୂପେ ଖାରଜ କରୁଛି’।

The Quint

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାକେଶ କୁମାର ତାଙ୍କ ନିଜ ତରଫରୁ ବିଚାର ପାଇଁ ଗ୍ରହଣ କରିଥିବା ଏକ ମାମଲାର ରାୟ ପ୍ରଦାନ କରିବାକୁ ଯାଇ ଗତକାଲି ବିଚାର ବିଭାଗରେ ଜାତିବାଦ ଚାଲିବା ସହ ଏବେ ସଂପୂର୍ଣ୍ଣ ହାଇକୋର୍ଟ ଠାରୁ ଆରମ୍ଭ କରି ସମଗ୍ର ବିଚାର ବିଭାଗର ସର୍ବତ୍ର ବ୍ୟାପକ ଦୁର୍ନୀତି ଚାଲିଛି ବୋଲି ଅଭିଯୋଗ କରିଥିଲେ। ଏଥିସହ କିଛି ପରଲୋକଗତ, ଅବସରପ୍ରାପ୍ତ ତଥା ବର୍ତ୍ତମାନ ଦାୟିତ୍ୱରେ ରହିଥିବା କିଛି ବିଚାରପତିଙ୍କ ନାମୋଲ୍ଲେଖ କରି ସେମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ସୁଦ୍ଧା ନିଜ ରାୟରେ ଉଲ୍ଲେଖ କରିଥିଲେ।

ଏହି ଘଟଣା ସଂପର୍କରେ ଜାଣିବା ପରେ ଆଜି (ଗୁରୁବାର) ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ପି ଶାହୀଙ୍କ ଅଧ୍ୟକ୍ଷତାରେ ୧୧ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ପୂର୍ଣ୍ଣ ଖଣ୍ଡପୀଠ ଗତ ବୁଧବାର ଦିନ ପାଟନା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ରାକେଶ କୁମାରଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ଏକ ରାୟ ନ୍ୟାୟ ବିଭାଗ ଉପରେ ସିଧାସଳଖ ଆକ୍ରମଣ ଥିବା ଦର୍ଶାଇ ଏହାକୁ ସଂପୂର୍ଣ୍ଣ ରୂପେ ଖାରଜ କରି ଦେଇଛନ୍ତି। ଏଥିସହ ବିଚାରପତି ଜଷ୍ଟିସ୍‌ ରାକେଶ କୁମାରଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ଏହି ରାୟର କୌଣସି ଅଂଶ କୌଣସ ଠାରେ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର