ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ଶ୍ରମିକଙ୍କୁ ଓହ୍ଲାଇବା ବେଳେ ଲିଫ୍ଟ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ସୋମବାର ସ୍ଥାନୀୟ ସମୟ ୫ଟା ସମୟରେ ହୋଇଥିଲା ବୋଲି ଖଣି ଅପରେଟର ମଙ୍ଗଳବାର ସୂଚନା ଦେଇଛନ୍ତି। ଦେଶର ଉତ୍ତରରେ ଥିବା ସହର ରୁସ୍ତେନବର୍ଗର ଏକ ଖଣିରେ ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି ।

Advertisment

ଇମ୍ପାଲା ପ୍ଲାଟିନମ୍ ହୋଲ୍ଡିଂସ୍ (ଇମ୍ପ୍ଲାଣ୍ଟସ୍)ର ସିଇଓ ନିକୋ ମୁଲର୍ ଏକ ବିବୃତ୍ତିରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଇତିହାସରେ ଏହା ସବୁଠାରୁ ଭୟଙ୍କର ଦିନ। କମ୍ପାନି ନିଜ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖରେ ରହିଛି । ମୃତକଙ୍କ ପରିବାରଲୋକଙ୍କ ସହ ସମ୍ପର୍କ କରାଯାଉଛି । ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ପ୍ଲାଟିନମ୍ର ସବୁଠାରୁ ବଡ଼ ଉତ୍ପାଦନକାରୀ ଦେଶ ।

ଇମ୍ପାଲା ପ୍ଲାଟିନମ୍ କମ୍ପାନି କହିଛି ଯେ ସୋମବାର ଅପରାହ୍ନରେ ଜୋହାନ୍ସବର୍ଗର ଉତ୍ତର-ପଶ୍ଚିମରେ ଥିବା ରୁସ୍ତେନବର୍ଗରେ ଥିବା ଏହାର ଖଣିରେ ଶ୍ରମିକମାନେ ସେମାନଙ୍କ ଶିଫ୍ଟ ଶେଷରେ ଏକ ଶାଫ୍ଟରୁ ବାହାରକୁ ଯାଉଥିବା ବେଳେ ଏହି ଗୁରୁତର ଦୁର୍ଘଟଣା ଘଟିଛି।