ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ କରୋନାଭାଇରସ୍ ସଂକ୍ରମଣ ବଢ଼ୁଛି। ଦେଶର କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶ ଆଉ କରୋନାମୁକ୍ତ ହୋଇ ରହିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୩୭ ହଜାର ୧୪୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୮୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୧ ଲକ୍ଷ ୫୫ ହଜାର ୧୯୧ ରହିଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୨୪ ହଜାର ୫୭୭ ରହିଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ ହଜାର ୮୪ରେ ପହଞ୍ଚିଛି। ଏବେ ମୋଟ୍ ୪ ଲକ୍ଷ ୨ ହଜାର ୫୨୯ ସକ୍ରିୟ ମାମଲା ରହିଥିବା ବେଳେ ଲଗାତାର ୬ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୩୦ ହଜାରରୁ ଅଧିକ ରହିଛି। ତେବେ ୪ ମାସରେ ପୂରା ଦେଶ କୋଭିଡ୍ କବଳକୁ ପଳାଇଛି। ୪ ମାସ ମଧ୍ୟରେ ସମଗ୍ର ଦେଶରେ କରୋନା ଏହାର କାୟା ବିସ୍ତାର କରିଛି। ଦେଶରେ ୫୦୦ ସଂକ୍ରମଣ ମାମଲା ଥିବାବେଳେ ଭାରତରେ ଲକ୍ଡାଉନ୍ ଜାରି ହୋଇଥିଲା। ମାର୍ଚ୍ଚ ୩୧ରେ ଦେଶରେ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍ କମ୍ ମାମଲା ଥିଲା। କିନ୍ତୁ ଏହା ପରଠାରୁ ଭାଇରସ୍ ଦ୍ରୁତ ଗତିରେ ବଢ଼ି ଚାଲିଲା। ଏପରିକି ଭାରତର ଗ୍ରାମାଞ୍ଚଳକୁ ମଧ୍ୟ ଭାଇରସ୍ କବଳିତ କରିଦେଲା। ଏବେ କେବଳ ୪ଟି ରାଜ୍ୟରେ ୫୦୦ରୁ କମ୍ ମାମଲା ରହିଛି। ଅନ୍ୟପକ୍ଷେ ଏହି ସମାନ ସମୟ ମଧ୍ୟରେ ୧୭ଟି ରାଜ୍ୟରେ ଜାତୀୟ ହାରାହାରିଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମଣ ମାମଲା ବଢ଼ିଛି। ୪ ଟି ରାଜ୍ୟରେ ୫୦ ହଜାରରୁ ଅଧିକ ମାମଲା ରହିଛି। ୧୮ଟି ରାଜ୍ୟରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।
ଗତ ୭ ଦିନ ଧରି ୧୭ଟି ରାଜ୍ୟରେ ସଂକ୍ରମଣ ୫୦୦ରୁ ଅଧିକ ରହୁଛି। ୧୦ଟି ରାଜ୍ୟରୁ ପ୍ରତିଦିନ ୧ ହଜାର ମାମଲା ଚିହ୍ନଟ ହେଉଛି। ମହାରାଷ୍ଟ୍ର ପରେ କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଗତ ସପ୍ତାହରେ ମୃତ୍ୟୁସଂଖ୍ୟା ବଢ଼ିଛି। ହାରାହାରି ଭାବେ ଗତ ସପ୍ତାହରେ ଏହି ୩ଟି ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଜାତୀୟସ୍ତରରେ ମୃତ୍ୟୁହାର କମୁଥିଲେ ମଧ୍ୟ ରାଜ୍ୟସ୍ତରରେ ଏହା ଅଧିକ ରହୁଛି। ଭାରତରେ ସଂକ୍ରମଣ ବୃଦ୍ଧିହାର ମାର୍ଚ୍ଚରେ ୧୫.୨ ପ୍ରତିଶତ ଥିବାବେଳେ ଏପ୍ରିଲ୍ରେ ଏହା ୬.୪ ପ୍ରତିଶତକୁ କମିଆସିଲା। ଗୁଜରାଟରେ ଗତ ମାର୍ଚ୍ଚ, ଏପ୍ରିଲ୍ରେ ସଂକ୍ରମଣ ମାମଲା କମ୍ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ଥିଲା। ଗୁଜରାଟରେ ସଂକ୍ରମଣ ବୃଦ୍ଧି ହାର ଏପ୍ରିଲ୍ରେ ଜାତୀଯ ହାରାହାରିକୁ ଟପିଯାଇଥିଲା। ତେବେ ଗତ ୧୪ରୁ ୨୦ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିହାର ସବୁଠୁ କମ୍ ତଥା ୧.୩ ପ୍ରତିଶତ ଥିବାବେଳେ ଅରୁଣାଚଳ ପ୍ରଦେଶରେ ସଂକ୍ରମଣ ବୃଦ୍ଧିହାର ୧୦.୯ ପ୍ରତିଶତ, ସିକ୍କିମ୍ରେ ୯.୨ ପ୍ରତିଶତ ଏବଂ ଆନ୍ଧ୍ରପ୍ରଦେଶରେ ୭.୮ ପ୍ରତିଶତ ରହିଛି। ମହାମାରୀ ଆରମ୍ଭରୁ ଏଯାତବ୍ ବିଶ୍ବରେ ୬ ଲକ୍ଷରୁ ଅଧିକ ଜୀବନ ଯାଇଥିଲେ ମଧ୍ୟ କେବଳ ଚଳିତ ମାସରେ ୧୫ ପ୍ରତିଶତ ମୃତ୍ୟୁ ହୋଇଛି। ଚଳିତ ମାସରେ ବିଶ୍ବବ୍ୟାପୀ ମୋଟ୍ ୯୪ ହଜାର କୋଭିଡ୍ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/vaccine2-reuters-1.jpg)