ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା?
ଦିଲ୍ଲୀରେ ଘର ଭିତରୁ ମିଳିଲା ମୃତଦେହ, ପୋଲିସ ସନ୍ଦେହରେ ଧାର୍ମିକ ଅନ୍ଧବିଶ୍ୱାସ
ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀର ବୁରାଡ଼ି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନଙ୍କ ମଧ୍ୟରେ ୭ ଜଣ ମହିଳା ଥିବାବେଳେ ଦୁଇ ଜଣ ହେଉଛନ୍ତି ଶିଶୁ। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ଜଣେ ବୃଦ୍ଧା ମହିଳାଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଛି। ସେମାନଙ୍କ ଆଖିରେ ପଟି ବନ୍ଧା ଯାଇଛି ଏବଂ ମୁହଁରେ ଟେପ୍ ଲାଗିଛି। ସେମାନଙ୍କ ହାତ ମଧ୍ୟ ପଛପଟେ ବନ୍ଧାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା ନେଇ ପାରିପାର୍ଶ୍ୱିକ ଅବସ୍ଥାରୁ ସନ୍ଦେହ କରାଯାଉଥିବା ବେଳେ ସଂପର୍କୀୟ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅନ୍ୟପକ୍ଷରେ ଘର ଭିତରୁ ମିଳିଥିବା କେତେକ କାଗଜପତ୍ରରୁ ପୋଲିସ ସନ୍ଦେହ କରୁଛି ଯେ ଏହା ପଛରେ କୌଣସି ଧାର୍ମିକ ଅନ୍ଧବିଶ୍ୱାସ ଥାଇପାରେ। ତେବେ ସତ କ’ଣ ତାହା ଜାଣିବା ଲାଗି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୋଲିସ ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରୁ ଆସିଥିବା ଏହି ପରିବାର ଦିଲ୍ଲୀରେ ଦୀର୍ଘ ୨୦ ବର୍ଷ ଧରି ବ୍ୟବସାୟ କରୁଥିଲେ ଏବଂ ସନ୍ଥ ନଗରରେ ସେମାନଙ୍କର ରାସନ ଦୋକାନ ଏବଂ ପ୍ଲାଇଉଡ୍ ଷ୍ଟୋର୍ ରହିଛି। ରାସନ ଦୋକାନଟି ପ୍ରତିଦିନ ସକାଳ ୬ଟାରେ ଖୋଲୁଥିବା ବେଳେ ଆଜି ଏହା ନ ଖୋଲିବାରୁ ପାଖ ପଡ଼ୋଶୀଙ୍କ ସନ୍ଦେହ ଉପୁଜିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଜଣେ ପଡ଼ୋଶୀ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ଘର କବାଟ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ଘର ଭିତରର ଦୃଶ୍ୟ ଅତି ଭୟାନକ ଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରର ସମସ୍ତ ୧୧ ସଦସ୍ୟଙ୍କ ଶବ ଜବତ କରିଛି। ପୋଲିସ ଏହି ଘଟଣାର ସୁରାକ୍ ଖୋଜିବା ପାଇଁ ଆଖପାଖ ଅଂଚଳର ସିସିଟିଭି ରେକର୍ଡିଂ ଯାଞ୍ଚ କରୁଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ ଜଣ ପୁରୁଷ ଥିବା ପୁଲିସ ସୂତ୍ରରୁ ପ୍ରକାଶ।
ପରିବାରର ସବୁଠୁ ବରିଷ୍ଠ ସଦସ୍ୟା ୭୫ ବର୍ଷୀୟା ମହିଳାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ମହିଳାଙ୍କ ଶବ ଚଟାଣରେ ପଡ଼ିଥିଲା ଏବଂ ଅନ୍ୟ ୧୦ ଜଣଙ୍କ ଶବ ଏକ ରେଲିଂରେ ଝୁଲୁଥିଲା। ସମସ୍ତଙ୍କ ଆଖିରେ ପଟି ବନ୍ଧା ଯାଇଥିଲା। ଦିଲ୍ଲୀ ପୋଲିସର ଯୁଗ୍ମ କମିସନର ରାଜେଶ ଖୁରାନା କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣ ନାବାଳକ ମଧ୍ୟ ଅଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତି ସନ୍ଦେହଜନକ ଥିବାରୁ ଏହା ଏକ ଅତ୍ୟନ୍ତ ଯୋଜନାବଦ୍ଧ ସାମୂହିକ ହତ୍ୟାକାଣ୍ଡ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଘରର ୨ଟି କବାଟ ଖୋଲା ଥିଲା ଏବଂ ପୋଷା କୁକୁରକୁ ଘର ଛାତ ଉପରେ ବାନ୍ଧି ରଖାଯାଇଥିଲା।
ପୋଲିସ ପୂରା ଘରକୁ ସିଲ୍ କରି ତଦନ୍ତ ଜାରି ରଖିଛି ଏବଂ ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ପରିବାରର ଲଳିତ ଭାଟିଆ ଏବଂ ଭୂପି ଭାଟିଆ ବ୍ୟବସାୟ କରୁଥିବା ବେଳେ ସେମାନେ ମା’, ଜଣେ ଭଉଣୀ, ପତ୍ନୀ ଏବଂ ପିଲାମାନଙ୍କ ସହିତ ରହୁଥିଲେ। ଘରର ଦୁଇ ବୋହୂଙ୍କ ନାମ ସବିତା ଏବଂ ଟିନା ଭାଟିଆ ବୋଲି ଜଣାପଡ଼ିଥିବା ବେଳେ ଭଉଣୀଙ୍କ ନାମ ବେବି ଭାଟିଆ। ଏହି ପରିବାର କାହିଁକି ଅଚାନକ ମୃତ୍ୟୁର ରାସ୍ତାକୁ ବାଛିନେଲେ କିମ୍ବା ସେମାନଙ୍କୁ ହତ୍ୟା କରାଯାଇଛି, ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ମାମଲା ଅତ୍ୟନ୍ତ ରହସ୍ୟଜନକ ଥିବାରୁ ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ।