ବିଜେପିର ୧୧% ସାଂସଦ ଉତ୍ତରାଧିକାରୀ

ନୂଆଦିଲ୍ଲୀ : ରାଜସ୍ଥାନରେ ସଚିନ୍‌ ପାଇଲଟଙ୍କ ବିଦ୍ରୋହ ପରିପ୍ରେକ୍ଷୀରେ ରାଜବଂଶୀୟ ରାଜନେତାମାନଙ୍କର ଚର୍ଚ୍ଚା ଏବେ ପୁଣି ଫେରିଛି। ବିଜେପିରେ ସାମିଲ ହେବେନି ବୋଲି ପାଇଲଟ୍‌ କହୁଥିଲେ ବି ବିଜେପିରେ ପ୍ରବେଶ କରୁଥିବା ଉତ୍ତରାଧିକାରୀମାନଙ୍କ ପାଇଁ ହିଁ ଏହାର କେନ୍ଦ୍ରୀୟ ନେତୃତ୍ବ କଂଗ୍ରେସ ପ୍ରତି ଲଗାଉଥିବା ରାଜବଂଶୀୟ ଆକ୍ଷେପ ଏଣିକି କେତେ ସମୀଚୀନ ବୋଲି ଚର୍ଚ୍ଚା ହେଉଛି। ବିଜେପିର ବର୍ତ୍ତମାନ ୩୦୩ ଜଣ ଲୋକସଭା ସଦସ୍ୟ ଓ ୮୫ ଜଣ ରାଜ୍ୟସଭା ସଦସ୍ୟ, ଏପରି ମୋଟ ୩୮୮ ଜଣ ସାଂସଦ ରହିଛନ୍ତି। ସେମାନଙ୍କ ଭିତରୁ ୧୧ ପ୍ରତିଶତ ବା ୪୫ ଜଣ ସାଂସଦ ହେଉଛନ୍ତି ରାଜବଂଶୀୟ ବା ଉତ୍ତରାଧିକାରୀ। ବର୍ତ୍ତମାନ ଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିବେକ ଠାକୁର, ଉଦୟନରାଜେ ଭୋଁସଲେ, ଲେସେମ୍ବା ସାନାଜୋବା, ନବାମ୍‌ ରେବିୟା, ନୀରଜ ଶେଖର ଏବଂ ସମ୍ଭାଜୀ ଛତ୍ରପତିଙ୍କ ଭଳି ରାଜ୍ୟସଭା ସାଂସଦମାନେ ହେଉଛନ୍ତି ରାଜନୈତିକ ପରିବାରର ଉତ୍ତରାଧିକାରୀ। ସେହିପରି ଲୋକସଭାରେ ମଧ୍ୟ ଅନୁରାଗ ଠାକୁର, ଦୁଷ୍ୟନ୍ତ ସିଂହ, ପୁନମ୍‌ ମହାଜନ, ପ୍ରୀତମ୍‌ ମୁଣ୍ଡେ, ପ୍ରବେଶ ସାହିବ ସିଂହ ବର୍ମା ଏବଂ ବି.ଵାଇ. ରାଘବେନ୍ଦ୍ରଙ୍କ ଭଳି ରାଜନୈତିକ ଉତ୍ତରାଧିକାରୀ ରହିଛନ୍ତି। ତେବେ ଦଳରେ ବଢୁଥିବା ଉତ୍ତରାଧିକାରୀଙ୍କ ସଂଖ୍ୟା ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବେଳେ ବେଳେ କଂଗ୍ରେସ ନେତାଙ୍କ ସହ ସେମାନଙ୍କ ପରିବାରବାଦକୁ ଯୋଡ଼ି ଆକ୍ଷେପ କରିବାର ପରିପନ୍ଥୀ ହୋଇଛି।

ସମ୍ବନ୍ଧିତ ଖବର