ନୂଆଦିଲ୍ଲୀ: ଦେଶରେ ରହି ଦେଶ ସହ ବେଇମାନୀ । ଭାରତ ଭିତରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି । ଯେଉଁମାନେ କିଛିଟା ଟଙ୍କା ଲୋଭରେ ନିଜ ମାଆ, ମାଟି ଏବଂ ଦେଶକୁ ପର ହାତକୁ ଟେକି ଦିଅନ୍ତି... ଦେଶର ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ଦେଇଦିଅନ୍ତି ସେମାନଙ୍କୁ ଦେଶଦ୍ରୋହୀ ବୋଲି କୁହାଯିବନି ତ ଆଉ କଣ କୁହାଯିବ । ଦେଶଦ୍ରୋହୀ ତାଲିକାରେ କେବଳ ଯେ ହରିଆଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ନୁହଁନ୍ତି ବରଂ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଦେଶ ଭିତରେ ଅଛନ୍ତି ପାକିସ୍ତାନର ମାଳ ମାଳ ଗୁପ୍ତଚର । ଯେଉଁମାନଙ୍କୁ ଚିହ୍ନଟ କରି ଗତ ୩ ଦିନ ଭିତରେ ଗିରଫ କରାଯାଇଛି ।

Advertisment

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଏହି ବେଇମାନଙ୍କ ଭିତରେ ଖାଲି ୟୁଟ୍ୟୁବର ନୁହଁନ୍ତି ବରଂ କିଛି ଛାତ୍ର ବି ଅଛନ୍ତି ।  ସିକ୍ୟୁରିଟି ଗାର୍ଡ ବି ଅଛନ୍ତି ଆଉ ଆପ୍ ଡେଭଲପର ବି ଅଛନ୍ତି । ଯେଉଁମାନଙ୍କୁ ଟଙ୍କାର ଲୋଭ, ମିଛ ପ୍ରତିଶ୍ରୁତି, ସୋସିଆଲ ମିଡିଆର ଜାଲ, ପାକିସ୍ତାନକୁ ବୁଲିଯିବାର ଲୋଭ ଦେଖାଇ ସେମାନଙ୍କ ଠାରୁ ଗୁପ୍ତ ତଥ୍ୟ ନିଆଯାଉଥିଲା । ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଏକ ନେଟୱର୍କ କାମ କରୁଥିଲା ।

ଗତ କିଛି ଦିନ ଭିତରେ ପାକିସ୍ତାନର ଗୁପ୍ତଚର ସନ୍ଦେହରେ ଯେଉଁ ୧୧ ଜଣଙ୍କୁ ଗିରଫ କରାଯାଇଛି ସେମାନେ ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜ୍ୟୋତି ମାଲହୋତ୍ରାଙ୍କ ସମେତ, ହରିଆଣାର ଦେବେନ୍ଦ୍ର ସିଂହ, ନୋମାଲ ଇଲାହୀ, ଅରମାନ ।  ପଞ୍ଜାବର ଗଜାଲା, ୟାମିନ ମହମ୍ମଦ, ମହମ୍ମଦ ମୁତେଜା ଅଲ୍ଲୀ ଭଳି ଅନେକଙ୍କୁ ଗିରଫ କରାଯାଇଛି । ଏପଟେ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ପୁରୀର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ।